ବାଇବଲ କଅଣ ପ୍ରକୃତରେ ଈଶ୍ବରଙ୍କ ବାକ୍ୟ?


ପ୍ରଶ୍ନ: ବାଇବଲ କଅଣ ପ୍ରକୃତରେ ଈଶ୍ବରଙ୍କ ବାକ୍ୟ?

ଉତ୍ତର:
ଏହି ପ୍ରଶ୍ନର ଉତ୍ତର କେବଳ ଏହା ନିର୍ଦ୍ଧାରିତ କରିବ ନାହିଁ ଯେ ଆମେ ବାଇବଲକୁ କିପରି ଦେଖୁ ଓ ଆମ ଜୀବନରେ ଏହା ତାତ୍ପର୍ଯ୍ୟ କେତେ ଅଛି, କିନ୍ତୁ ଆମ ଉପରେ ଏହାର ଏକ ଚିରକାଳ ପ୍ରଭାବ ମଧ୍ୟ ପକାଇବ । ଯଦି ବାଇବଲ ପ୍ରକୃତରେ ଈଶ୍ବରଙ୍କ ବାକ୍ୟ ତେବେ ଆମେ ଏହାକୁ ଆଦର କରିବା, ମାନିବା, ଓ ସମ୍ପୂର୍ଣ୍ଣରୂପେ ଭରସା କରିବା ଆବଶ୍ୟକ । ଯଦି ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ, ତେବେ ଏହାକୁ ବରଖାସ୍ତ କରିବା ଅର୍ଥାତ ସ୍ବଂୟ ଈଶ୍ବରଙ୍କୁ ବରଖାସ୍ତ କରିବା ଅଟେ ।

ଈଶ୍ବର ଆମକୁ ବାଇବଲ ଦେଇଅଛନ୍ତି, ଏହି ସତ୍ୟତା ହେଉଛି ଆମ ପାଇଁ ତାହାଙ୍କ ପ୍ରେମର ପ୍ରମାଣ ଓ ଉଦାହରଣ । “ପ୍ରକାଶିତ” ଶବ୍ଦର ସଧାରଣ ଅର୍ଥ ହେଉଛି ମନୁଷ୍ୟ ସମାଜକୁ ଈଶ୍ବର ଏହି ବାର୍ତ୍ତା ଦେଇଅଛନ୍ତି ଯେ ସେ କିପରି ଅଟନ୍ତି ଓ ଆମେ କିପରି ତାହାଙ୍କ ସହ ଠିକ୍ ସମ୍ପର୍କ ସ୍ଥାପନ କରିପାରିବା । ଏହି ବିଷୟଗୁଡିକ ଆମେ ଜାଣି ପାରି ନ ଥାନ୍ତେ, ଯଦି ଈଶ୍ବର ଏହାକୁ ପ୍ରକାଶ କରିନଥାନ୍ତେ । ଯଦିଓ, ବାଇବଲରେ ଈଶ୍ବର ନିଜର ପ୍ରକାଶ ପ୍ରାୟତଃ ୧୫୦୦ ବର୍ଷ ବ୍ୟବଧାନରେ ଉନ୍ନତକ୍ରମେ ଦେଇଥିଲେ, ଏଠାରେ ସମସ୍ତ ବିଷୟ ନିହିତ ଅଛି ଯାହା ଦ୍ବାରା ମନୁଷ୍ୟ ଈଶ୍ବରଙ୍କ ବିଷୟରେ ଅବଗତ ହୋଇ ଈଶ୍ବରଙ୍କ ସହ ଠିକ୍ ସମ୍ପର୍କ ସ୍ଥାପନ କରିପାରିବ । ଯଦି ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ, ତେବେ ଏହା ସମସ୍ତ ବିଶ୍ବାସ ବିଷୟରେ, ଧର୍ମସମ୍ବନ୍ଧୀୟ ପ୍ରଥା ବିଷୟରେ ଓ ନୈତିକ ବିଷୟରେ ଅନ୍ତିମ କ୍ଷମତା ଅଟେ ।

ତେବେ ଏହି ପ୍ରଶ୍ନ ଆମେ ପଚାରିବା ଆବଶ୍ୟକ ଯେ ଆମେ କିପରି ଜାଣିପାରିବା ଯେ ବାଇବଲ୍ ଏକ ସଧାରଣ ପୁସ୍ତକ ନୁହେଁ, କିନ୍ତୁ ଏହା ଈଶ୍ବରଙ୍କ ବାକ୍ୟ ଅଟେ? ବାଇବଲର ଅଦ୍ବିତୀୟତା କଅଣ ଯାହା ଏହାକୁ ଅନ୍ୟ ଧର୍ମ ପୁସ୍ତକମାନଙ୍କଠାରୁ ପୃଥକ କରେ? ଏମିତି କିଛି ପ୍ରମାଣ ଅଛି କି ଯେ ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ? ଏହି ପ୍ରକାରର ପ୍ରଶ୍ନ ଆମେ ଆଲୋଚନା କରିବା ଆବଶ୍ୟକ, ଯଦି ଆମେ ବାଇବଲର ସିଦ୍ଧତାକୁ ନିର୍ଦ୍ଧାରିତ କରିବା ଚେଷ୍ଟା କରୁ ଯେ ଏହା ଈଶ୍ବର-ନିଶ୍ବେଷିତ ଓ ସମସ୍ତ ବିଶ୍ବାସ ବିଷୟରେ ଓ କାର୍ଯ୍ୟରେ ସମ୍ପୂର୍ଣ୍ଣରୂପେ ଯଥେଷ୍ଟ ଅଟେ । ଏଠାରେ କିଛି ବି ସନ୍ଦେହ ନାହିଁ ଯେ ବାଇବଲ, ଈଶ୍ବରଙ୍କ ବାକ୍ୟ ଅଟେ ବୋଲି ଦାବି କରେ । ତିମଥୀଙ୍କୁ ପାଉଲଙ୍କ ଚେତନାରେ ଏହା ସମ୍ପୂର୍ଣ୍ଣରୂପେ ପରିଲିକ୍ଷିତ ହୁଏ: “...ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ବାସ ଦ୍ବାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ । ସମସ୍ତ ଶାସ୍ତ୍ର ଈଶ୍ବର- ନିଶ୍ବେଷିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।” (୨ ତିମଥୀ ୩:୧୫-୧୭)

ଆଭ୍ୟନ୍ତରୀଣ ଓ ବାହାରି ପ୍ରମାଣ ରହିଅଛି ଯେ ବାଇବଲ ବାସ୍ତବରେ ଈଶ୍ବରଙ୍କ ବାକ୍ୟ ଅଟେ । ଆଭ୍ୟନ୍ତରୀଣ ପ୍ରମାଣ ହେଉଛି ବାଇବଲରେ ଥିବା ସେହି ବିଷୟ ଯାହା ଏହାର ଦୈବିକ ଉତ୍ପତ୍ତିର ସାକ୍ଷ୍ୟ ଦିଏ । ପ୍ରଥମ ଆଭ୍ୟନ୍ତରୀଣ ହେଉଛି, ଏହାର ଏକତାରେ ପ୍ରମାଣିତ ହୁଏ ଯେ ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ । ଯଦିଓ, ଏହି ପୁସ୍ତକରେ ବିଭିନ୍ନ ୬୬ଟି ପୁସ୍ତକ ରହିଅଛି, ଏହା ତିନୋଟି ମହାଦେଶରେ ଓ ତିନୋଟି ଭାଷାରେ ଲେଖାଯାଇଛି, ଏହାକୁ ୪୦ଟି ଲେଖକ ଲେଖିଅଛନ୍ତି ଯେଉଁମାନଙ୍କ ପୃଷ୍ଠଭୁମି ଏକ ଆରେକରୁ ବହୁତ ଅଲଗା, ତଥାପି ବାଇବଲର ଏକାଗ୍ରତା ରହିଅଛି ଓ ଏହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରସ୍ପରକୁ ଖଣ୍ଡନ କରେ ନାହିଁ । ଏହି ଏକତା, ଅନ୍ୟ ପୁସ୍ତକମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ଅସଧାରଣ ଓ ଏହା ହିଁ ହେଉଛି ଦୈବିକ ଉତ୍ପତ୍ତିର ପ୍ରମାଣ-ଈଶ୍ବର ମନୁଷ୍ୟମାନଙ୍କୁ ଲେଖିବାକୁ ପ୍ରେରିତ କଲେ ।

ବାଇବଲ ଯେ ଈଶ୍ବରଙ୍କ ବାକ୍ୟ ଏହାର ଆଉ ଏକ ଆଭ୍ୟନ୍ତରୀଣ ପ୍ରମାଣ ହେଉଛି ଯେଉଁ ଭାବବାଣୀଗୁଡିକ ଏଠାରେ ଲିଖିତ ଅଛି । ବାଇବଲରେ ଅନେକ ଭାବବାଣୀକୁ ଲିପିବଦ୍ଧ କରାଯାଇଛି ଯାହା ଇସ୍ରାଏଲର ଭବିଷ୍ୟତ, କେତେକ ନିର୍ଦ୍ଧିଷ୍ଟ ସହର ଓ ମନୁଷ୍ୟଜାତି ନିମନ୍ତେ ରହିଅଛି । ଅନ୍ୟ ଭାବବାଣୀଗୁଡିକ ଆଗମନ କରୁଥିବା ମଶୀହ, ଉଦ୍ଧାରକର୍ତ୍ତା ଯେଉଁମାନେ ତାହାଙ୍କ ଠାରେ ବିଶ୍ବାସ କରନ୍ତି, ସେ ସମ୍ପର୍କରେ ଲିପିବଦ୍ଧ କରାଯାଇଛି । ଅନ୍ୟ ଧର୍ମ ପୁସ୍ତକର ଭାବବାଣୀ ବା ନଷ୍ତ୍ରାଡମସଙ୍କ ଭାବବାଦୀ ଅସଦୃଶ, ବାଇବଲର ଭାବବାଣୀ ସବିଶେଷରେ ଦିଆଯାଇଛି । ପୁରାତନ ନିୟମରେ ପ୍ରାୟତଃ ୩୦୦ଭାବବାଣୀ ଯୀଶୁଙ୍କ ସମ୍ପର୍କରେ ଦିଆଯାଇଛି । କେବଳ ଏହା ଭାବବାଣୀ ହୋଇନଥିଲା ଯେ ସେ କେଉଁଠାରେ ଓ କେଉଁ ବଂଶରେ ଜନ୍ମ ନେବେ, କିନ୍ତୁ ଏହା ସୁଧା ଯେ ସେ କିପରି ମୃତ୍ୟୁଭୋଗ କରିବେ ଓ ପୁନରୁଥିତ ହେବେ । ବାଇବଲରେ ସଫଳ ହୋଇଥିବା ଭାବବାଣୀକୁ ଦୈବିକ ଉତ୍ପତ୍ତି ଛଡା ଆଉ କୌଣସି ଯୁକ୍ତିଯୁକ୍ତ ଭାବରେ ବ୍ୟାଖ୍ୟା କରାଯାଇ ନ ପାରେ । ବାଇବଲ ଭଳି ଆଉ କୌଣସି ଧର୍ମ ପୁସ୍ତକ ନାହିଁ ଯେଉଁଠାରେ ଏପରି ଭବିଷ୍ୟତବାଣୀ ନିହିତ ଅଛି ।

ବାଇବଲର ଦୈବିକ ଉତ୍ପତ୍ତିର ତୃତୀୟ ପ୍ରମାଣ ହେଉଛି ଏହାର ଅସଧାରଣ କ୍ଷମତା ଓ ଶକ୍ତି । ଯଦିଓ ଏହା ପ୍ରଥମ ଦୁଇ ଯୁକ୍ତିଠାରୁ ଅଧିକ ବ୍ୟକ୍ତିଗତ ବିଚାର ଅଟେ । ଏହା ବାଇବଲର ଦୈବିକ ଉତ୍ପତ୍ତିର ଶକ୍ତିଶାଳୀ ସାକ୍ଷ୍ୟଠାରୁ କମ୍ ନୁହେଁ । ଅନ୍ୟ ଲିଖିତ ପୁସ୍ତକମାନଙ୍କଠାରୁ ବାଇବଲର କ୍ଷମତା ଅଧିକ ଉନ୍ନତ ଅଟେ । ଏହାର କ୍ଷମତା ଓ ଶକ୍ତିର ପ୍ରମାଣ ଦେଖାଯାଏ ଯେବେ ଅସଂଖ୍ୟ ଲୋକମାନଙ୍କ ଜୀବନ ଈଶ୍ବରଙ୍କ ଶକ୍ତି ଦ୍ବାରା ରୁପାନ୍ତରିତ ହୋଇଅଛି । ନିଶାଗ୍ରସ୍ତ ଲୋକମାନେ ସୁସ୍ଥତା ପାଇଅଛନ୍ତି, ସମଲିଂଗ ପ୍ରତି ସମ୍ଭୋଗ ପ୍ରବଣ ବ୍ୟକ୍ତିମାନେ ମୁକ୍ତି ପାଇଅଛନ୍ତି, ପରିତ୍ୟକ୍ତ ଓ ଅସଫଳ ବ୍ୟକ୍ତି ରୁପାନ୍ତରିତ ହୋଇଅଛନ୍ତି, ଅପରାଧିମାନେ ମନ ଫେରାଇଅଛନ୍ତି, ପାପୀମାନେ ଭତ୍ସନା ପାଇଅଛନ୍ତି ଏବଂ ଘୃଣା ପ୍ରେମରେ ପରିଣତ ହୋଇଅଛି । ବାଇବଲର ଶକ୍ତିଶାଳୀ ଓ ରୁପାନ୍ତରିତ ଶକ୍ତି ଅନେକ କାର୍ଯ୍ୟ ସାଧନ କରେ କାରଣ ଏହା ଈଶ୍ବରଙ୍କ ବାକ୍ୟ ଅଟେ ।

ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ ଏହାର ବାହାରି ପ୍ରମାଣ ସୁଧା ରହିଅଛି । ପ୍ରଥମ ହେଉଛି ବାଇବଲର ଐତିହାସିକତା । କାରଣ ବାଇବଲରେ ଅନେକ ଐତିହାସିକ ଘଟଣା ରହିଅଛି, ଏହାର ସତ୍ୟତା ଓ ସ୍ପଷ୍ଟତାକୁ ଅନ୍ୟ ଐତିହାସିକ ପୁସ୍ତକ ଭଳି ପରୀକ୍ଷା କରାଯାଇପାରିବ । ଖନନ କାର୍ଯ୍ୟର ପ୍ରମାଣ ଓ ଅନ୍ୟ ପୁସ୍ତକମାନଙ୍କ ଦ୍ବାରା ବାଇବଲର ଐତିହାସିକ ଘଟଣା ଅନେକ ଥର ସ୍ପଷ୍ଟ ଓ ସତ୍ୟ ବୋଲି ପ୍ରମାଣିତ ହୋଇଅଛି । ସତ ତ ଏହା ଯେ ସମସ୍ତ ଖନନ ଓ ପ୍ରାଚୀନ ପୁସ୍ତକର ପ୍ରମାଣ ବାଇବଲକୁ ପ୍ରାଚୀନ ଜଗତର ସବୁଠାରୁ ଉତ୍କୃଷ୍ଟ ପୁସ୍ତକ ବୋଲି ପ୍ରମାଣ କରେ । ବାଇବଲର ଘଟଣାଗୁଡିକୁ ସତ୍ୟ ଓ ସ୍ପଷ୍ଟ ଭାବରେ ଲିପିବଦ୍ଧ କରାଯାଇଥିବା ହେଉଛି ଏହି ସତ୍ୟତାର ପ୍ରମାଣ ଯେ ଅନ୍ୟ ଧର୍ମ ଓ ଶିକ୍ଷା ସମ୍ବନ୍ଧୀୟ ବିଷୟ ଅପେକ୍ଷା ଏହା ନିର୍ଭରଯୋଗ୍ୟ ଏବଂ ଏହା ଈଶ୍ବରଙ୍କ ବୋଲି ପ୍ରମାଣ ଦିଏ ।

ବାଇବଲ ଯେ ଈଶ୍ବରଙ୍କ ବାକ୍ୟ ଏହାର ଆଉ ଏକ ବାହାରି ପ୍ରମାଣ ହେଉଛି ଲେଖକମାନଙ୍କ ଏକାଗ୍ରତା । ପୂର୍ବରେ ଯେପରି ଉଲ୍ଲେଖ କରାଗଲା, ଈଶ୍ବର ବିଭିନ୍ନ ପୃଷ୍ଠଭୁମି ଥିବା ଲୋକମାନଙ୍କୁ ତାହାଙ୍କ ବାକ୍ୟ ଲିପିବଦ୍ଧ କରିବା ପାଇଁ ବ୍ୟବହାର କଲେ । ଏହି ଲୋକମାନଙ୍କ ଜୀବନକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ସେମାନେ ନିଷ୍କପଟ ଓ ସଚୋଟ ଥିଲେ । ସତ୍ୟ ଏହା ଯେ ସେମାନେ ଯେଉଁ ବିଷୟକୁ ବିଶ୍ବାସ କରୁଥିଲେ ସେଥିପାଇଁ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଥିଲେ । ଏହା ପ୍ରମାଣସିଦ୍ଧ କରେ ଯେ ଏହି ସଧାରଣ ଓ ସଚୋଟ ଲୋକମାନେ ଈଶ୍ବର ଯାହା କହିଥିଲେ, ସେଥିରେ ବିଶ୍ବାସ କରୁଥିଲେ । ଯେଉଁମାନେ ନୂତନ ନିୟମ ଲେଖିକ ଓ ଅନ୍ୟ ବିଶ୍ବାସୀମାନେ ସେମାନଙ୍କ ବାର୍ତ୍ତାର ସତ୍ୟତାକୁ ଜାଣିଥିଲେ କାରଣ ସେମାନେ ମୃତ୍ୟୁରୁ ପୁନରୁଥିତ ଯୀଶୁଙ୍କୁ ଦର୍ଶନ କରିଥିଲେ ଓ ତାହାଙ୍କ ସହ ସମୟ ବିତାଇଥିଲେ (୧ କରନ୍ଥୀୟ ୧୫:୬) । ପୁନରୁଥିତ ଯୀଶୁଙ୍କୁ ଦର୍ଶନ କରିବା ସେମାନଙ୍କ ଜୀବନରେ ଚମତ୍କାର ପ୍ରଭାବ ଆଣିଦେଇଥିଲା । ସେମାନଙ୍କ ଭୟଭୀତ ଓ ଲୁଚିବା ଜୀବନ, ପୁନରୁଥିତ ଯୀଶୁଙ୍କୁ ଦର୍ଶନ କରିବା ପରେ ଈଶ୍ବରଙ୍କ ନିମନ୍ତେ ମୃତ୍ୟୁଭୋଗ କରିବା ପାଇଁ ପ୍ରସ୍ତୁତ ଜୀବନ ରୂପେ ରୂପାନ୍ତରିତ ହୋଇଥିଲା । ସେମାନଙ୍କ ଜୀବନ ଓ ମୃତ୍ୟୁ ଏହି ବିଷୟର ପ୍ରମାଣ ଦିଏ ଯେ ପ୍ରକୃତରେ ବାଇବଲ ହେଉଛି ଈଶ୍ବରଙ୍କ ବାକ୍ୟ ।

ବାଇବଲ ଯେ ଈଶ୍ବରଙ୍କ ବାକ୍ୟ ଏହାର ଅନ୍ତିମ ପ୍ରମାଣ ହେଉଛି ବାଇବଲର ଅକ୍ଷୟତାର ଗୁଣ । କାରଣ ବାଇବଲ ଗୁରୁତ୍ବଆରୋପ ଓ ଦାବି କରେ ଯେ ଏହା ଈଶ୍ବରଙ୍କ ବାକ୍ୟ ଅଟେ, ଇତିହାସରେ ଆମେ ଦେଖିବାକୁ ପାଇବା ଯେ ବାଇବଲକୁ ବହୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି ଓ ଅନେକ ଲୋକ ଏହାକୁ ଧ୍ବଂସ କରିବାକୁ ଉଦ୍ୟମ ସୁଧା କରିଅଛନ୍ତି । ଡାଓକ୍ଲେସିଆନ୍ ଭଳି ଆଦ୍ୟ ରୋମୀୟ ସାମ୍ରାଜ୍ୟ ଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ଏକଛତ୍ର ଶାସକ ଏବଂ ଆଧୁନିକ ନାସ୍ତିକ ଓ ଅବିଜ୍ଞୟବାଦୀ ସମ୍ମୁଖରେ ମଧ୍ୟ ବାଇବଲ ଜୀବିତ ରହିଅଛି ଓ ସେମାନଙ୍କ ଆକ୍ରମଣକୁ ଜୟ କରିଅଛି, ଏବଂ ଆଜିଯାଏ, ସାରା ପୃଥିବୀରେ ଏହାକୁ ସବୁଠୁ ଅଧିକ ସଂଖ୍ୟାରେ ଛାପା ଯାଇଅଛି ।

ସମୟର ପ୍ରବାହରେ, ସନ୍ଦେହୀମାନେ ବାଇବଲକୁ ମନରଚିତ କାହାଣୀ ଭାବେ ବର୍ଣ୍ଣନା କରିଅଛନ୍ତି, କିନ୍ତୁ ଖନନ ଶାସ୍ତ୍ର ପ୍ରମାଣ କରିଅଛି ଯେ ଏହା ଐତିହାସିକ ଅଟେ । ବିରୋଧୀମାନେ ଆକ୍ରମଣ କରିଅଛନ୍ତି ଯେ ଏହାର ଶିକ୍ଷା ପ୍ରାଚୀନ ଓ ଏହାର ଶିକ୍ଷା ପ୍ରୟୋଗାତ୍ମକ ନୁହେଁ, କିନ୍ତୁ ଏହାର ନୈତିକ ଓ ଆଇନ୍ ସମ୍ବନ୍ଧୀୟ ତତ୍ତ୍ବ ଓ ଶିକ୍ଷା ସାରା ପୃଥିବୀରେ ସମାଜ ଓ ସଂସ୍କୃତି ଉପରେ ସକରାତ୍ମକ ପ୍ରଭାବ ପକାଇଅଛି । ଆଜି ସୁଦ୍ଧା ମିଥ୍ୟା-ବିଜ୍ଞାନ, ମନୋବିଜ୍ଞାନ, ଓ ରାଜନୈତିକ ବିପ୍ଲବଠାରୁ ଏହା ଆକ୍ରମିତ ହୋଇଅଛି, କିନ୍ତୁ ଆଜି ସୁଦ୍ଧା ଏହା ସତ୍ୟ ଓ ପ୍ରାସଂଗିକ ଅଛି ଯେପରି କି ଏହା ପ୍ରଥମେ ଲିଖିତ ହେବା ସମୟରେ ଥିଲା । ଗତ ୨୦୦୦ ବର୍ଷରେ ଏହି ପୁସ୍ତକ ଅସଂଖ୍ୟ ଜୀବନ ଓ ସଂସ୍କୃତିକୁ ରୁପାନ୍ତରିତ କରିଅଛି । ଯେତେ ସୁଧା ବିରୋଧୀମାନେ ଏହାକୁ ଆକ୍ରମଣ କରିବା, ଧ୍ବଂସ କରିବା ବା ବରଖାସ୍ତ କରିବାକୁ ଉଦ୍ୟମ କରୁଥିଲେ, ବାଇବଲ ଏ ଯାଏ ଜୀବିତ ଅଛି; ଏହାର ସତ୍ୟତା ଓ ପ୍ରଭାବ ଚମତ୍କାର । ଯଦିଓ ଏହାକୁ ଅନୈତିକ କରିବାକୁ ଓ ଧ୍ବଂସ କରିବାକୁ ଚେଷ୍ଟା କରାଯାଇଛି, ଏହାର ସ୍ପଷ୍ଟତା ସୁଧା ସୁରକ୍ଷିତ ରହିଅଛି, ଏହା ହିଁ ଏହି ସତ୍ୟତାର ସ୍ପଷ୍ଟ ସାକ୍ଷ୍ୟ ଯେ ବାଇବଲ ଈଶ୍ବରଙ୍କ ବାକ୍ୟ ଓ ଏହାକୁ ଅଲୌକିକ ଭାବରେ ସୁରକ୍ଷିତ କରାଯାଇଅଛି । ଏହା ଆମକୁ ଆଚମ୍ବିତ କରିବା ଉଚିତ୍ ନୁହଁ ଯେ ଯେପରି ବାଇବଲକୁ ଆକ୍ରମଣ କରାଯାଇଅଛି, ଏହା ସର୍ବଦା ଅପରିବର୍ତ୍ତନୀୟ ଓ ଅକ୍ଷୟ ରହିଅଛି । ସବୁକଥା ବିଚାର କଲେ, ଯୀଶୁ ହିଁ କହିଥିଲେ, “ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ ଲୋପ ପାଇବ ନାହିଁ” (ମାର୍କ ୧୩:୩୧) । ଏହି ପ୍ରମାଣଗୁଡିକୁ ବିଚାର କଲା ଉତ୍ତାରେ, ଜଣେ ନିସନ୍ଦେହରେ କହିପାରିବ ଯେ, ହଁ, ବାଇବଲ ବାସ୍ତବରେ ଈଶ୍ବରଙ୍କ ବାକ୍ୟ ଅଟେ ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ବାଇବଲ କଅଣ ପ୍ରକୃତରେ ଈଶ୍ବରଙ୍କ ବାକ୍ୟ?