settings icon
share icon
ପ୍ରଶ୍ନ

ବାଇବଲରେ ଭୁଲ୍‍, ବିରୋଧୋକ୍ତି କିମ୍ବା ପ୍ରଭେଦ ରହିଛିକି?

ଉତ୍ତର


ଆମେ ଯଦି ଭୁଲ୍‍ ପାଇବା ନିମନ୍ତେ ପୂର୍ବ ମନୋଭାବ ନ ରଖି ବାଇବଲକୁ ବିନା ମୁଖାପେକ୍ଷାରେ ପଢ଼ିବା, ତେବେ ଆମେ ଦେଖିବାକୁ ପାଇବା ଯେ ଏହା ହେଉଛି ଯୁକ୍ତିସଙ୍ଗତ, ସାମଞ୍ଜସ୍ୟ ଓ ବୁଝିବାକୁ ଅପେକ୍ଷାକୃତ ସହଜ ପୁସ୍ତକ । ହଁ, ବାଇବଲରେ ବୁଝିବାକୁ କଷ୍ଟକର ଅନୁଚ୍ଛେଦ ଗୁଡ଼ିକ ରହିଛି । ହଁ, ପରସ୍ପରକୁ ବିରୋଧ କଲା ପରି ଜଣାପଡ଼ୁଥିବା ପଦଗୁଡ଼ିକ ରହିଛି । ଆମେ ମନେ ରଖିବାକୁ ହେବ ଯେ, ବାଇବଲ ପାଖାପାଖି ୧୫୦୦ ବର୍ଷ ମଧ୍ୟରେ ୪୦ ଜଣ ବିଭିନ୍ନ ଲେଖକଙ୍କ ଦ୍ଵାରା ଲେଖାଯାଇଛି । ପ୍ରତି ଲେଖକ ଭିନ୍ନ ଶୈଳୀରେ ବିଭିନ୍ନ ଦୃଷ୍ଟିକୋଣରେ, ବିଭିନ୍ନ ଲୋକମାନଙ୍କୁ, ବିଶେଷ ଉଦ୍ଦେଶ୍ୟ ରଖି ଲେଖିଅଛନ୍ତି । ଆମେ ସେମାନଙ୍କ ଲେଖାରେ କିଛି ସାମାନ୍ୟ ଭିନ୍ନତା ପାଇବାର ଆଶା କରିବାକୁ ହେବ । ଅଥଚ, ଭିନ୍ନତା ବିରୋଧୋକ୍ତି ନୁହେଁ । ପଦଗୁଡ଼ିକ ବା ଶାସ୍ତ୍ରର ଅଂଶଗୁଡ଼ିକୁ ପରସ୍ପର ସମ୍ମତ କରିବାର ଯଦି କୌଣସି ସମ୍ଭବ ଉପାୟ ନାହିଁ, ତେବେ ହିଁ ଆମେ ଏହାକୁ ଭୁଲ୍‍ କହିପାରିବା । ଏପରିକି ଯଦି ଏକ ଉତ୍ତର ବର୍ତ୍ତମାନ ମିଳୁନାହିଁ, ତାହାର ଅର୍ଥ ନୁହେଁ ଯେ ସେଥିର ଉତ୍ତର ନାହିଁ । ଅନେକେ ବାଇବଲରେ ଇତିହାସ ଓ ଭୂଗୋଳ ସମ୍ବନ୍ଧୀୟ ତଥାକଥିତ ଭୁଲ୍‍ ପାଇଛନ୍ତି କେବଳ ପ୍ରତ୍ନତାତ୍ତ୍ଵିକ ଆବିଷ୍କାର ଏହାକୁ ସତ୍ୟ ପ୍ରମାଣ କରିବା ପର୍ଯ୍ୟନ୍ତ ।

ଅନେକ ସମୟରେ ଆମେ ଏହି ପ୍ରକାର ପ୍ରଶ୍ନର ସମ୍ମୁଖୀନ ହୋଇଥାଉ ଯେପରିକି ; “ଏହି ପଦଗୁଡ଼ିକ କିପରି ବିରୋଧୋକ୍ତି ନୁହେଁ ବୁଝାନ୍ତୁ!” କିମ୍ବା “ଦେଖନ୍ତୁ, ବାଇବଲରେ ଆଉ ଏକ ଭୁଲ୍‍ ମିଳିଲା!” । ଏହା ସ୍ଵିକୃତ ଯେ ଲୋକମାନେ ପଚାରୁଥିବା କେତେକ ପ୍ରଶ୍ନର ଉତ୍ତର ଦେବା କଷ୍ଟକର । ସେ ଯାହାବି ହେଉ, ଏ ବିଷୟରେ ଆମର ଯୁକ୍ତି ହେଉଛି ଯେ ପ୍ରତ୍ୟୋକ ତଥାକଥିତ ବାଇବଲ ବିରୋଧୋକ୍ତି ବା ଭୁଲ୍‍ ନିମନ୍ତେ ଅନେକ ସମ୍ଭାବ୍ୟ ଓ ଯୁକ୍ତି ଯୁକ୍ତ ଉତ୍ତର ରହିଛି । ଅନେକ ପୁସ୍ତକ ଓ ୱେବ୍‍‍ସାଇଟ୍‍ଗୁଡ଼ିକ ରହିଛି ଯାହା “ବାଇବଲ ଭୁଲ୍‍ ତାଲିକାକୁ ପ୍ରସ୍ତୁତ କରିଥାଏ । ଅନେକ ଲୋକ ସେମାନଙ୍କର ଅସ୍ତ୍ର ଏହି ସମସ୍ତ ସ୍ଥାନରୁ ପାଇଥାନ୍ତି; ସେମାନେ ସେମାନଙ୍କ ନିଜ ଚିନ୍ତାରୁ ତଥାକଥିତ ଭୁଲ୍‍ ପାଇନଥାନ୍ତି । ଆହୁରି ମଧ୍ୟ ଅନେକ ପୁସ୍ତକ ଓ ୱେବ୍‍‍ସାଇଟ୍‍ ରହିଛି ଯାହା ଏହି ସମସ୍ତ ତଥାକଥିତ ଭୁଲ୍‍ଗୁଡ଼ିକୁ ଖଣ୍ଡନ କରନ୍ତି । ସବୁଠାରୁ ଦୁଃଖର ବିଷୟ ଯେ ଯେଉଁ ଲୋକମାନେ ବାଇବଲ ଉପରେ ଆକ୍ରମଣ କରନ୍ତି ସେମାନେ ପ୍ରକୃତରେ ଉତ୍ତର ପାଇବାକୁ ଆଗ୍ରହୀ ନୁହଁନ୍ତି । ଏପରିକି ଅନେକ “ବାଇବଲ ଆକ୍ରମଣକାରୀମାନେ” ସେମାନେ ପଚାରୁଥିବା ଉତ୍ତରଗୁଡ଼ିକୁ ଜାଣିଥାନ୍ତି, କିନ୍ତୁ ସେମାନେ ସେହି ପୁରୁଣାକାଳିଆ ଢଙ୍ଗରେ ବାରମ୍ବାର ବୃଥା ଆକ୍ରମଣ କରିବାରେ ଲାଗିଥାନ୍ତି ।

ତେଣୁ, ଜଣେ ବ୍ୟକ୍ତି ଯେତେବେଳେ ଏକ କଥାକଥିତ ବାଇବଲର ଭୁଲ୍‍କୁ ନେଇ ଆମ ନିକଟକୁ ଆସେ, ଆମେ କ’ଣ କରିବା ଉଚିତ? (୧) ପ୍ରାର୍ଥନାର ସହ ଶାସ୍ତ୍ର ଅଧ୍ୟୟନ କରନ୍ତୁ ଓ ଦେଖନ୍ତୁ ଯେ କିଛି ଉତ୍ତର ମିଳୁଛି କି । (୨) କେତେକ ଉତ୍ତମ ବାଇବଲ ଟୀକା, “ବାଇବଲ ରକ୍ଷା ବା ସମର୍ଥନ” ପୁସ୍ତକ ଏବଂ ବାଇବଲ ଉପରେ ଗବେଷଣା କରୁଥିବା ୱେବ୍‍‍ସାଇଟ୍‍ଗୁଡ଼ିକ ବ୍ୟବହାର କରି କିଛି ଅନୁସନ୍ଧାନ କରନ୍ତୁ । (୩) ଆମ ପାଳକଙ୍କୁ / ମଣ୍ଡଳୀର ନେତୃବୃନ୍ଦଙ୍କୁ ପଚାରନ୍ତୁ; ଯଦି ସେମାନେ ଉତ୍ତର ଦେଇପାରନ୍ତି । (୪) ଯଦି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପଦକ୍ଷେପ ପରେ ମଧ୍ୟ କୌଣସି ଉତ୍ତର ନ ମିଳେ ତେବେ ଆମେ ଈଶ୍ଵରଙ୍କଠାରେ ଭରସା ରଖୁ ଯେ ତାହାଙ୍କ ବାକ୍ୟ ସତ୍ୟ ଅଟେ ଓ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ରହିଛି କିନ୍ତୁ ସେହି ଉତ୍ତରଗୁଡ଼ିକୁ ଏପର୍ଯ୍ୟନ୍ତ ଆମେ ଜାଣିନାହୁଁ (୨ତିମଥି ୨:୧୫, ୧୬-୧୭) ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବାଇବଲରେ ଭୁଲ୍‍, ବିରୋଧୋକ୍ତି କିମ୍ବା ପ୍ରଭେଦ ରହିଛିକି?
© Copyright Got Questions Ministries