ଈଶ୍ବର ନୂତନ ନିୟମରେ ଯେପରି ଦେଖାଯାଇଅଛନ୍ତି, ପୁରାତନ ନିୟମରେ କାହିଁକି ଏତେ ଭିନ୍ନ ଭାବରେ ଦେଖାଯାଇଅଛନ୍ତି?


ପ୍ରଶ୍ନ: ଈଶ୍ବର ନୂତନ ନିୟମରେ ଯେପରି ଦେଖାଯାଇଅଛନ୍ତି, ପୁରାତନ ନିୟମରେ କାହିଁକି ଏତେ ଭିନ୍ନ ଭାବରେ ଦେଖାଯାଇଅଛନ୍ତି?

ଉତ୍ତର:
ଈଶ୍ବରଙ୍କ ସ୍ବଭାବ ବା ପ୍ରକୃତି ବିଷୟରେ ଉଭୟ ପୁରାତନ ନିୟମ ଓ ନୂତନ ନିୟମ କ’ଣ ପ୍ରକାଶ କରେ ସେ ବିଷୟକ ଏକ ମୌଳିକ ଭୁଲ୍‍ ବୁଝାମଣା ଏହି ପ୍ରଶ୍ନ ଭିତରେ ହିଁ ରହିଛି । ସେହି ସମାନ ମୌଳିକ ଚିନ୍ତାକୁ ପ୍ରକାଶ କରିବାର ଅନ୍ୟ ଏକ ଉପାୟ ହେଉଛି ଲୋକମାନେ ଯେତେବେଳେ ନିମ୍ନ ବିଷୟ କୁହନ୍ତି “ପୁରାତନ ନିୟମରେ ଥିବା ଈଶ୍ବର କ୍ରୋଧ କରୁଥିବା ବେଳେ ନୂତନ ନିୟମରେ ଥିବା ଈଶ୍ବର ପ୍ରେମ କରନ୍ତି ।” କଥାଟି ହେଉଛି ବାଇବଲରେ ଐତିହାସିକ ଘଟନା ଓ ଲୋକମାନଙ୍କ ସହ ସମ୍ପର୍କ ରଖିବା ସମୟରେ ଈଶ୍ବର ନିଜକୁ କ୍ରମାଗତ ଭାବରେ ପ୍ରକାଶ କରିଛନ୍ତି ଯେଉଁଥିପାଇଁ ଆମକୁ ଲାଗେ ଯେ ଈଶ୍ବର ପୁରାତନ ନିୟମରେ ଯାହା ଥିଲେ ନୂତନ ନିୟମରେ ତାହାଠାରୁ ଅଲଗା ଅଟନ୍ତି । ଜଣେ ଯେତେବେଳେ ଉଭୟ ପୁରାତନ ନିୟମ ଓ ନୂତନ ନିୟମକୁ ଭଲ ଭାବରେ ପାଠ କରେ, ସେ ଜାଣିପାରିବ ଯେ ଈଶ୍ବର ଉଭୟ ନିୟମରେ କ୍ରୋଧ କରିଛନ୍ତି ଓ ତାହାଙ୍କ ପ୍ରେମ ମଧ୍ୟ ପ୍ରକାଶ କରିଛନ୍ତି ।

ଉଦାହରଣ ସ୍ବରୂପ, ପୁରାତନ ନିୟମ ସାରା, ଈଶ୍ବରଙ୍କୁ “ସ୍ନେହଁଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ” (ଯାତ୍ରା 34:6; ଗଣନା 14:18; ଦ୍ବିତୀୟ ବିବରଣ 4:31; ନିହିମିୟା 9:17; ଗୀତସଂହିତା 86:5, 15; 108:4; 145:8; ଯୋୟେଲ 2:13) ବୋଲି କୁହାଯାଇଛି । ତଥାପି ନୂତନ ନିୟମରେ ଈଶ୍ବରଙ୍କ ପ୍ରେମ, ଦୟା ଓ ଅନୁଗ୍ରହ “ଈଶ୍ବର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” (ଯୋହନ3:16)ରୁ ଅଧିକ ଭାବରେ ଦେଖାଦେଇଛି । ପୁରାତନ ନିୟମ ସାରା, ଆମେ ଦେଖୁ ଯେ ଜଣେ ପ୍ରେମମୟ ବାପା ତା ପୁଅ ସହ ଯେପରି ବ୍ୟବହାର କରେ, ଈଶ୍ବର ସେପରି ଭାବରେ ଇଶ୍ରାୟେଲ ସହ ବ୍ୟବହାର କରିଅଛନ୍ତି । ସେମାନେ ଯେତେବେଳେ ଜାଣିଶୁଣି ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ଅନ୍ୟ ଦେବତାମାନଙ୍କର ପୂଜା କରିବାକୁ ଲାଗିଲେ, ଈଶ୍ବର ସେମାନଙ୍କୁ ଦଣ୍ଡ ଦେଉଥିଲେ । ତଥାପି, ସେମାନେ ପ୍ରତିମାପୂଜା ପାପ କରିଥିବାରୁ ଅନୁତପ୍ତ ହେଲେ ପ୍ରତି ଥର ସେ ସେମାନଙ୍କୁ ଉଦ୍ଧାର କରୁଥିଲେ । ଈଶ୍ବର ଠିକ୍‍ ଏହିପରି ଭାବରେ ହିଁ ନୂତନ ନିୟମରେ ଥିବା ଖ୍ରୀଷ୍ଟିୟାନମାନଙ୍କ ପ୍ରତି ବ୍ୟବହାର କରିଥାନ୍ତି । ଉଦାହରଣ ସ୍ବରୂପ, ଏବ୍ରୀ 12:6 ଆମ୍ଭମାନଙ୍କୁ କୁହେ “ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି ।”

ଠିକ୍‍ ସେହିପରି ଭାବରେ, ପୁରାତନ ନିୟମ ସାରା ଆମେ ପାପ ଉପରେ ଈଶ୍ବରଙ୍କ ବିଚାର ହେଉଥିବାର ଦେଖୁ । ଠିକ୍‍ ସେହିପରି ଭାବରେ, ନୂତନ ନିୟମରେ ଆମେ ଦେଖୁ ଯେ ଈଶ୍ବରଙ୍କ କ୍ରୋଧ ସେମାନଙ୍କ ଉପରକୁ ଆସେ “ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ବର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି,” (ରୋମୀୟ 1:18) । ତେଣୁ, ଏହା ସ୍ବଷ୍ଟ ଯେ ଈଶ୍ବର ନୂତନ ନିୟମରେ ଯେପରି ଅଛନ୍ତି ସେ ପୁରାତନ ନିୟମରେ ତାହାଠାରୁ ଭିନ୍ନ ନୁହଁନ୍ତି । ଈଶ୍ବରଙ୍କ ସ୍ବଭାବ ଅନୁଯାୟୀ ସେ ଅପରିବର୍ତ୍ତନୀୟ ଅଟନ୍ତି । ଆମେ ଯେତେବେଳେ ଶାସ୍ତ୍ରର କିଛି ନିର୍ଦ୍ଧିଷ୍ଟ ଅଂଶରେ ଅନ୍ୟ ଅଂଶ ଅପେକ୍ଷା ତାହାଙ୍କ ସ୍ବଭାବର ଗୋଟିଏ ଦିଗ ଅଧିକ ପ୍ରକାଶିତ ହେବାର ଦେଖୁ, ସେତେବେଳେ ଈଶ୍ବର ନିଜେ ପରିବର୍ତ୍ତିତ ହୋଇନଥାନ୍ତି ।

ଆମେ ଯେତେବେଳେ ବାଇବଲ ପାଠ କରୁ ଓ ଅଧ୍ୟୟନ କରୁ, ଆମେ ସ୍ବଷ୍ଟ ଭାବରେ ଜାଣିପାରୁ ଯେ ଈଶ୍ବର ପୁରାତନ ନିୟମ ଓ ନୂତନ ନିୟମରେ ସମାନ ଅଟନ୍ତି । ଯଦିଓ ଦୁଇଗୋଟି (କିମ୍ବା ସମ୍ଭବତଃ ତିନିଗୋଟି) ମହାଦେଶରେ ତିନିଗୋଟି ଭାଷାରେ ପାଖାପାଖି 1500 ବର୍ଷ ମଧ୍ୟରେ 40 ଜଣରୁ ଊର୍ଦ୍ଧ୍ବ ମନୁଷ୍ୟ ଲେଖକଙ୍କ ଦ୍ବାରା ଲିଖିତ 66ଟି ପୁସ୍ତକ ବାଇବଲ ଅଟେ, ବିନା ବିରୋଧରେ ଏହି ସମସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକମାତ୍ର ପୁସ୍ତକ ଭାବରେ ରହିଆସିଅଛି । ଏଥିରୁ ଆମେ ଦେଖୁ ଯେ କିପରି ଏକ ପ୍ରେମମୟ, ଦୟାମୟ ଓ ନ୍ୟାୟର ଈଶ୍ବର ସମସ୍ତ ପ୍ରକାର ଅବସ୍ଥାରେ ପାପପୂର୍ଣ୍ଣ ମନୁଷ୍ୟ ସହ ବ୍ୟବହାର କରିଆସୁଅଛନ୍ତି । ପ୍ରକୃତରେ, ବାଇବଲ ହେଉଛି ମନୁଷ୍ୟମାନଙ୍କୁ ଈଶ୍ବରଙ୍କର ପ୍ରେମପତ୍ର । ଈଶ୍ବରଙ୍କ ସୃଷ୍ଟି ପ୍ରତି, ବିଶେଷତଃ ମନୁଷ୍ୟ ପ୍ରତି ତାହାଙ୍କ ପ୍ରେମ ଶାସ୍ତ୍ର ସାରା ସ୍ବଷ୍ଟ ଭାବେ ଦର୍ଶାଇଦିଆଯାଇଛି । ବାଇବଲ ସାରା ଆମେ ଦେଖୁ ଯେ, ଈଶ୍ବର ପ୍ରେମରେ ଓ ଦୟାରେ ତାହାଙ୍କ ସହ ଏକ ବିଶେଷ ସମ୍ପର୍କ ରଖିବା ନିମନ୍ତେ ଲୋକମାନଙ୍କୁ ଡାକୁଅଛନ୍ତି, ଏବଂ ସେମାନେ ଯେ ଈଶ୍ବରଙ୍କ ଡାକରା ପାଇବାର ଯୋଗ୍ୟ ଥିବାରୁ ଈଶ୍ବର ସେମାନଙ୍କୁ ଡାକନ୍ତି, ସେପରି ନୁହେଁ, କିନ୍ତୁ ସେ ଅନୁଗ୍ରହ ଓ ଦୟାରେ ପରିପୂର୍ଣ୍ଣ ଈଶ୍ବର, ଶୀଘ୍ର କ୍ରୋଧ କରନ୍ତି ନାହିଁ ଏବଂ ପ୍ରେମ, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ହୋଇଥିବାରୁ ହିଁ ସେ ଲୋକମାନଙ୍କୁ ଡାକନ୍ତି । ତଥାପି ଆମେ ଜଣେ ପବିତ୍ର ଓ ଧାର୍ମିକ ଈଶ୍ବରଙ୍କୁ ଦେଖୁ ଯିଏକି ସେହି ଲୋକମାନଙ୍କର ବିଚାରକର୍ତ୍ତା ଅଟନ୍ତି ଯେଉଁମାନେ ନିଜେ ସୃଷ୍ଟି କରିଥିବା ଦେବତାମାନଙ୍କୁ ପୂଜା ବା ଉପାସନା କରି ତାହାଙ୍କ ବାକ୍ୟ ମାନନ୍ତି ନାହିଁ ଏବଂ ତାହାଙ୍କର ଉପାସନା ବା ପୂଜା କରିବାକୁ ନାସ୍ତି କରନ୍ତି (ରୋମୀୟ 1 ଅଧ୍ୟାୟ) ।

ଈଶ୍ବରଙ୍କ ଧାର୍ମିକ ଓ ପବିତ୍ର ସ୍ବଭାବ ଯୋଗୁଁ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ପାପ ନିହାତି ବିଚାରରେ ଆସିବ । ତଥାପି ଈଶ୍ବର ତାହାଙ୍କ ଅସୀମ ପ୍ରେମରେ ପାପର ପାଉଣା ପରିଶୋଧ କଲେ ଓ ପୁନଃମିଳିତ ହେବାର ଏକ ଉପାୟ ବାହାର କଲେ ଯେପରିକି ପାପପୂର୍ଣ୍ଣ ମନୁଷ୍ୟ ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇପାରିବ । 1ଯୋହନ 4:10 ପରି ପଦରେ ଆମେ ଏହି ଆଶ୍ଚର୍ଯ୍ୟ ସତ୍ୟତାକୁ ଦେଖିପାରୁଛୁ: “ଆମ୍ଭେମାନେ ଯେ ଈଶ୍ବରଙ୍କୁ ପ୍ରେମ କଲୁ, ତାହା ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତସ୍ବରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ ।” ପୁରାତନ ନିୟମରେ, ଈଶ୍ବର ଏକ ବଳିଦାନର ପଦ୍ଧତି ଯୋଗାଇଲେ ଯେଉଁଥିରେ ପାପ ନିମନ୍ତେ ପ୍ରାୟଶ୍ଚିତ କରାଯାଇପାରିବ । ଅଥଚ, ଏହି ବଳିଦାନ ପଦ୍ଧତି କେବଳ ଅସ୍ଥାୟୀ ଥିଲା ଏବଂ ଏହା କେବଳ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରୁଥିଲା ଯେଉଁ ଯୀଶୁ ପାପ ନିମନ୍ତେ ପ୍ରତିବଦଳର ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ କରିପାରିବେ । ଯେଉଁ ଉଦ୍ଧାରକର୍ତ୍ତାଙ୍କ ବିଷୟରେ ପୁରାତନ ନିୟମରେ ପ୍ରତିଜ୍ଞା କରାଯାଇଥିଲା ସେ ନୂତନ ନିୟମରେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ ହୋଇଅଛନ୍ତି । ପୁରାତନ ନିୟମରେ ପୂର୍ବରୁ ମନରେ କଳ୍ପନା କରିଥିବା ଈଶ୍ବରଙ୍କ ପ୍ରେମର ଚୂଡାନ୍ତ ପ୍ରକାଶନ ଅର୍ଥାତ୍‍ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପଠାଇବା କାର୍ଯ୍ୟଟି ନୂତନ ନିୟମରେ ଗୌରବରେ ପ୍ରକାଶ ପାଇଥିଲା । ଉଭୟ ପୁରାତନ ନିୟମ ଓ ନୂତନ ନିୟମ “ପରିତ୍ରାଣ ନିମନ୍ତେ ଉପକାରୀ” (2ତିମଥି 3:15) ଥିଲା । ଆମେ ଯେତେବେଳେ ପୁରାତନ ନିୟମ ଓ ନୂତନ ନିୟମ ଅତି ନିକଟରୁ ପାଠ କରିବା, ସେତେବେଳେ “ଘୁଞ୍ଚିଯାଉଥିବା ଛାଇ ପରି ସେଗୁଡିକ ଯେ ପରିବର୍ତ୍ତିତ ହୁଅନ୍ତି ନାହିଁ” (ଯାକୁବ 1:17) ତାହା ସ୍ବଷ୍ଟ ହୋଇଯାଏ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଈଶ୍ବର ନୂତନ ନିୟମରେ ଯେପରି ଦେଖାଯାଇଅଛନ୍ତି, ପୁରାତନ ନିୟମରେ କାହିଁକି ଏତେ ଭିନ୍ନ ଭାବରେ ଦେଖାଯାଇଅଛନ୍ତି?