settings icon
share icon
ପ୍ରଶ୍ନ

ଈଶ୍ବର କ’ଣ ଆଜି ମଧ୍ୟ ଲୋକମାନଙ୍କୁ କଥା କୁହନ୍ତି?

ଉତ୍ତର


ଈଶ୍ବର ଅନେକ ସମୟରେ ଲୋକମାନଙ୍କୁ ରବ ଦ୍ବାରା କଥା କହିଥିବା ବିଷୟ ବାଇବଲରେ ଲେଖାଯାଇଛି (ଯାତ୍ରା 3:14; ଯିହୋଶୂୟ 1:1; ବିଚାରକର୍ତ୍ତା 6:18; 1ଶାମୁୟେଲ 3:11; 2ଶାମୁୟେଲ 2:1; ଆୟୁବ 40:1; ଯିଶାଇୟ 7:3; ଯିରିମିୟ 1:7; ପ୍ରେରିତ 8:26; 9:15 –ଏହା କେବଳ କିଛି ନମୁନା ମାତ୍ର) । ଈଶ୍ବର ଆଜି ଜଣେ ବ୍ୟକ୍ତିକୁ ରବ ଦ୍ବାରା କାହିଁକି କଥା କହିବେ ନାହିଁ ତାହାର କାରଣ ବାଇବଲରେ ଲେଖାଯାଇନାହିଁ । ଈଶ୍ବର କଥା କହୁଥିବା ବିଷୟଟି ବାଇବଲରେ ଶହ ଶହ ଥର ଲେଖାଯାଇଥିବା ସ୍ଥଳେ ଆମେ ମନେ ରଖିବାକୁ ପଡିବ ଯେ ସେଗୁଡିକ ମନୁଷ୍ୟ ଇତିହାସରେ 4000 ବର୍ଷରୁ ଅଧିକ ସମୟ ମଧ୍ୟରେ ଘଟିଥିଲା । ଈଶ୍ବର କଥା କହିବା ଏକ ବ୍ୟତିକ୍ରମ ଓ ଏହା ଏକ ନିୟମ ନୁହେଁ । ଏପରିକି ବାଇବଲରେ ଲେଖା ଥିବା ଈଶ୍ବର କହୁଥିବା ଘଟନାଗୁଡିକରେ ଈଶ୍ବର ତାହା ରବ ଦ୍ବାରା କଥା କହୁଥିଲେ କିମ୍ବା ମନ ଭିତରେ କଥା କହୁଥିଲେ କିମ୍ବା ତାହା ଏକ ମନର ଧାରଣା ଥିଲା ତାହା ସବୁବେଳେ ସ୍ବଷ୍ଟ ନ ଥିଲା ।

ଈଶ୍ବର ଆଜି ମଧ୍ୟ ଲୋକମାନଙ୍କୁ କଥା କୁହନ୍ତି । ପ୍ରଥମତଃ ଈଶ୍ବର ତାହାଙ୍କ ବାକ୍ୟ ମାଧ୍ୟମରେ କଥା କୁହନ୍ତି (2ତିମଥି 3:16-17) । ଯିଶାଇୟ 55:11 ଆମ୍ଭମାନଙ୍କୁ କୁହେ “ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଛା କରୁ, ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ ।” ବାଇବଲ ଈଶ୍ବରଙ୍କ ବାକ୍ୟ ଅଟେ, ଆମେ ଉଦ୍ଧାର ପାଇବା ପାଇଁ ଓ ଖ୍ରୀଷ୍ଟିୟ ଜୀବନଯାପନ କରିବା ପାଇଁ ଆମେ ସେ ସମସ୍ତ ବିଷୟ ଜାଣିବାର ଆବଶ୍ୟକତା ରହିଛି । ଦ୍ବିତୀୟ ପିତର 1:3 କୁହେ “ଯେ ଆପଣା ଗୌରବ ଓ ସଦ୍‍‍ଗୁଣରେ ଆମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ବାରା ତାହାଙ୍କ ଐଶରୀକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି ।”

ଈଶ୍ବର ଆମ୍ଭମାନଙ୍କୁ ଘଟନାଗୁଡିକ ଦ୍ବାରା ମଧ୍ୟ “କଥା କହୁଅଛନ୍ତି” – ତାହାର ଅର୍ଥ, ଆମ୍ଭମାନଙ୍କର ପରିସ୍ଥିତିଗୁଡିକୁ ସଜାଇ ସେ ଆମ୍ଭମାନଙ୍କୁ ରାସ୍ତା ଦେଖାଇବେ । ପୁଣି ଈଶ୍ବର ଆମ୍ଭମାନଙ୍କ ବିବେକ ଦ୍ବାରା ଭୁଲ୍‍ ଓ ଠିକ୍‍ ମଧ୍ୟରେ ପ୍ରଭେଦ ଜାଣିବାରେ ସାହାଯ୍ୟ କରନ୍ତି (1ତିମଥି 1:5; 1ପିତର 3:16) । ଈଶ୍ବର ତାହାଙ୍କ ଚିନ୍ତାସବୁ ସହ ଆମ୍ଭମାନଙ୍କର ମନକୁ ସମାନ କରିଚାଲିଛନ୍ତି (ରୋମୀୟ 12:2) । ଆମ୍ଭମାନଙ୍କୁ ରାସ୍ତା ଦେଖାଇବା ପାଇଁ ଈଶ୍ବର ଆମ୍ଭମାନଙ୍କ ଜୀବନରେ ଘଟନାଗୁଡିକ ଘଟିବାକୁ ଦିଅନ୍ତି, ସେ ଆମ୍ଭମାନଙ୍କୁ ପରିବର୍ତ୍ତନ କରନ୍ତି ଓ ଆମ୍ଭମାନଙ୍କୁ ଆତ୍ମିକ ଭାବେ ବଢିବା ପାଇଁ ସାହାଯ୍ୟ କରନ୍ତି (ଯାକୁବ 1:2-5; ଏବ୍ରୀ 12:5-11) । ପ୍ରଥମ ପିତର 1:6-7 ଆମ୍ଭମାନଙ୍କୁ ମନେ ପକାଇଦିଏ “ଏଥିରେ ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ବାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ବାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ବାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ।”

ଈଶ୍ବର ବେଳେବେଳେ ରବ ଦ୍ବାରା ଲୋକମାନଙ୍କୁ କହିପାରନ୍ତି । ଯଦିଓ ଲୋକମାନଙ୍କୁ ଈଶ୍ବର ଅନେକ ସମୟରେ କହୁଅଛନ୍ତି ବୋଲି ଅନେକେ ଦାବୀ କରନ୍ତି, ତଥାପି ଏହା ଅତି ସନ୍ଦେହ ଘେରରେ ରହିଛି । ପୁନର୍ବାର, ଏପରିକି ବାଇବଲରେ, ଈଶ୍ବର ରବ ଦ୍ବାରା କଥା କହିବା ଏକ ବ୍ୟତିକ୍ରମ ଓ ଏହା ସାଧାରଣ ବିଷୟ ନୁହେଁ । ଯଦି କେହି କୁହେ ଯେ ଈଶ୍ବର ତାହାକୁ ରବ ଦ୍ବାରା କଥା କହିଅଛନ୍ତି, ତେବେ ସେ କ’ଣ କୁହେ ଓ ବାଇବଲରେ କ’ଣ ଲେଖାଯାଇଛି ତାହାକୁ ତୁଳନା କରନ୍ତୁ । ଯଦି ଈଶ୍ବର ଆଜି ରବ ଦ୍ବାରା କଥା କହୁଅଛନ୍ତି, ତେବେ ସେ ଯାହା ବାଇବଲରେ କହିଅଛନ୍ତି (2ତିମଥି 3:16-17) ସେଥି ସହ ତାହା ମିଳିବ । ଈଶ୍ବର ନିଜକୁ ନିଜେ ବିରୋଧ କରନ୍ତି ନାହିଁ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଈଶ୍ବର କ’ଣ ଆଜି ମଧ୍ୟ ଲୋକମାନଙ୍କୁ କଥା କୁହନ୍ତି?
© Copyright Got Questions Ministries