ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?


ପ୍ରଶ୍ନ: ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?

ଉତ୍ତର:
ଜଳପ୍ଳାବନ ବିଷୟରେ ବାଇବଲ ଶାସ୍ତ୍ରାଂଶଗୁଡିକରୁ ଏହା ସ୍ବଷ୍ଟ ଯେ, ଏହି ଜଳପ୍ଳାବନ ପୃଥିବୀବ୍ୟାପୀ ଥିଲା | ଆଦି ୭:୧୧ ଦର୍ଶାଏ "... ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା |" ଆଦି ୧:୬-୭ ଏବଂ ୨:୬ ଆମ୍ଭମାନଙ୍କୁ କୁହେ ଯେ ଆମେ ବର୍ତ୍ତମାନ ଦେଖୁଥିବା ପରିପାର୍ଶ୍ବ ଜଳପ୍ଳାବନ ପୂର୍ବର ପରିପାର୍ଶ୍ବଠାରୁ ଯଥେଷ୍ଟ ପରିମାଣରେ ଭିନ୍ନ ଥିଲା | ଏ ବିଷୟ ପୁଣି ଅନ୍ୟ ବାଇବଲ ସମ୍ବନ୍ଧୀୟ ବର୍ଣ୍ଣନର ଆଧାରରେ ଯଥାର୍ଥ ଭାବେ ଅନୁମାନ କରାଯାଇପାରେ ଯେ, ଦିନେ ପୃଥିବୀ କିଛି ଧରଣର ଜଳ ଚାନ୍ଦୁଆ ଦ୍ବାରା ଆଚ୍ଛାଦିତ ଥିଲା | ଏହି ଚାନ୍ଦୁଆ ଏକ ବାଷ୍ପ ରୂପରେ କିମ୍ବା ଶନିଗ୍ରହର ଚତୁର୍ଦ୍ଦିଗରେ ପରିବେଷ୍ଟିତ ବରଫର ବଳୟ ଭାବରେ ରହିଯାଇଥିଲା | ଏହା ସହ ଭୂପୃଷ୍ଠ ତଳେ ରହିଥିବା ଜଳ ଆସ୍ତରଣକୁ ପୃଥିବୀ ପୃଷ୍ଠ ଉପରେ ଛାଡି ଦିଆଗଲା (ଆଦି ୨:୬) ଯାହା ବିଶ୍ବବ୍ୟାପୀ ଜଳପ୍ଳାବନର ଏକ ରୂପ ନେଲା |

ଜଳ ପ୍ଳାବନର ପରିସରକୁ ସ୍ବଷ୍ଟ ଭାବରେ ଦେଖାଇଥିବା ପଦଗୁଡିକ ହେଉଛି ଆଦି ୭:୧୯-୨୩ | ଜଳ ବିଷୟରେ, "ପୃଥିବୀ ଉପରେ ଜଳ ଅତିଶୟ ବଢି ଆକାଶତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା | ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ | ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ | ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ |"

ଉପରୋକ୍ତ ଶାସ୍ତ୍ରାଂଶରେ, ଆମେ କେବଳ "ସମସ୍ତ" ଶବ୍ଦକୁ ପୁନଃ ପୁନଃ ଦେଖୁନାହୁଁ କିନ୍ତୁ ଆମେ "ଆକାଶତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା", "ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ" ଏବଂ "ସମସ୍ତ ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ" ବୋଲି ଦେଖୁ | ଏହି ସମସ୍ତ ବର୍ଣ୍ଣନ ସ୍ବଷ୍ଟ ଭାବେ ଏକ ବିଶ୍ବବ୍ୟାପୀ ଜଳପ୍ଳାବନ ବିଷୟରେ ବର୍ଣ୍ଣନା କଲେ ଯାହା ସମଗ୍ର ପୃଥିବୀକୁ ଆଚ୍ଛାଦିତ କଲା | ପୁଣି, ଯଦି ଜଳପ୍ଳାବନଟି ସ୍ଥାନୀୟ ହୋଇଥାନ୍ତା, ତେବେ ଈଶ୍ବର ପ୍ରାଣୀମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନ କହି କାହିଁକି ଏକ ଜାହାଜ ନିର୍ମାଣ କରିବାକୁ କହିଲେ? ପୁଣି ସେ କାହିଁକି ନୋହଙ୍କୁ ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସ୍ଥଳ ପଶୁମାନଙ୍କୁ ସ୍ଥାନ ହେଲା ଭଳି ଏକ ଜାହାଜ ନିର୍ମାଣ କରିବାକୁ କହିଲେ? ଯଦି ଜଳ ପ୍ଳାବନଟି ପୃଥିବୀବ୍ୟାପୀ ନ ଥିଲା, ତେବେ ଏକ ଜାହାଜ ନିର୍ମାଣ କରିବାର ଆବଶ୍ୟକତା ନ ଥାନ୍ତା |

ପିତର ମଧ୍ୟ ୨ପିତର ୩:୬-୭ରେ ଜଳପ୍ଳାବନର ବିଶ୍ବବ୍ୟାପକତା ବିଷୟରେ ବର୍ଣ୍ଣନା କରନ୍ତି, ଯେଉଁଠି ସେ ଦର୍ଶାନ୍ତି "ଆଉ ତଦ୍ଦ୍ବାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ବାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି |" ଏହି ସମସ୍ତ ପଦଗୁଡିକରେ ପିତର ନୋହଙ୍କ ସମୟରେ ଘଟିଥିବା ଜଳପ୍ଳାବନ ସହିତ "ବିଶ୍ବବ୍ୟାପୀ" ଆଗାମୀ ବିଚାର ବିଷୟ ସହ ତୁଳନା କରନ୍ତି ଏବଂ ସେ ଦର୍ଶାନ୍ତି ଯେ ସେହି ସମୟରେ ଥିବା ଜଗତ ଜଳରେ ପ୍ଳାବିତ ହୋଇଥିଲା | ଅଧିକନ୍ତୁ, ବିଶ୍ବବ୍ୟାପୀ ଜଳପ୍ଳାବନର ଐତିହାସିକତାକୁ ଅନେକ ବାଇବଲ ଲେଖକ ଗ୍ରହଣ କରିଛନ୍ତି (ଯିଶାଇୟ ୫୪:୯; ୧ପିତର ୩:୨୦; ୨ପିତର ୨:୫; ଏବ୍ରୀ ୧୧:୭) | ପରିଶେଷରେ, ପ୍ରଭୁ ଯୀଶୁଖ୍ରୀଷ୍ଟ ବିଶ୍ବବ୍ୟାପୀ ଜଳପ୍ଳାବନରେ ବିଶ୍ବାସ କରୁଥିଲେ ଏବଂ ଯେତେବେଳେ ସେ ଆସିବେ ସେତେବେଳେ ଜଗତର ଆଗାମୀ ବିନାଶକୁ ସେହି ଜଳପ୍ଳାବନ ଭାବେ ଗ୍ରହଣ କରିଛନ୍ତି (ମାଥିଉ ୨୪:୩୭-୩୯; ଲୂକ ୧୭:୨୬-୨୭) |

ଅନେକ ବାଇବଲ ବାହାରର ପ୍ରମାଣଗୁଡିକ ଏକ ବିଶ୍ବବ୍ୟାପୀ ଘୋର ବିପତ୍ତିକୁ ସୂଚିତ କରେ ଯେପରିକି ବିଶ୍ବବ୍ୟାପୀ ଜଳପ୍ଳାବନ | ପ୍ରତ୍ୟେକ ମହାଦେଶରେ ଜୀବାସ୍ମଗୁଡିକର ବିଶାଳ ସମାଧିସ୍ଥଳ ରହିଅଛି ଏବଂ ବିସ୍ତୃତ ପରିମାଣର ଗଚ୍ଛିତ କୋଇଲା ଯାହା ବିଶାଳ ପରିମାଣର ଉଦ୍ଦିଦସକଳକୁ ତ୍ବରିତ ଆଚ୍ଛାଦନ କରିବାର ଆବଶ୍ୟକ କରିପାରେ | ମହାସାଗରରେ ଥିବା ଜୀବାସ୍ମଗୁଡିକ ସାରା ବିଶ୍ବରେ ଥିବା ମହାସାଗରର ପର୍ବତଗୁଡିକର ଶିଖରରେ ଦେଖାଯାଏ | ବିଶ୍ବର ସମସ୍ତ ଅଞ୍ଚଳରେ ଥିବା ସଂସ୍କୃତିରେ କିଛି ଧରଣର ଜଳପ୍ଳାବନର କିମ୍ବଦନ୍ତୀ ରହିଛି | ଏହି ସମସ୍ତ ଘଟନା ଏବଂ ଅନ୍ୟ କେତେକ ବିଷୟ ଏକ ବିଶ୍ବବ୍ୟାପୀ ଜଳପ୍ଳାବନର ପ୍ରମାଣ ଅଟେ |



ଓଡିଆ ହୋମ୍ ପେଜକୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?