settings icon
share icon
ପ୍ରଶ୍ନ

ବୃହତ୍ ଶ୍ବେତ ସିଂହାସନ ବିଚାର କ'ଣ?

ଉତ୍ତର


ପ୍ରକାଶିତ ୨୦:୧୧-୧୫ରେ ବୃହତ୍ ଶ୍ବେତ ସିଂହାସନ ବିଚାର ବର୍ଣ୍ଣିତ ହୋଇଛି ଏବଂ ବିନାଶପ୍ରାପ୍ତମାନେ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଯିବା ପୂର୍ବରୁ ହେବାକୁ ଥିବା ଶେଷ ବିଚାର । ପ୍ରକାଶିତ ୨୦:୭-୧୫ରୁ ଆମ୍ଭେମାନେ ଜାଣୁ ଯେ ସହସ୍ର ବର୍ଷର ରାଜତ୍ବ ଏବଂ ପଶୁ ଅର୍ଥାତ୍ ଶୟତାନ ଏବଂ ଭଣ୍ଡ ଭାବବାଦୀ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଯିବା ପରେ ସେହି ଶେଷ ବିଚାର ହେବ (ପ୍ରକାଶିତ ୨୦:୭-୧୦) । ଫିଟାଯାଇଥିବା ପୁସ୍ତକଗୁଡିକ (ପ୍ରକାଶିତ ୨୦:୧୨) ଭଲ ହେଉ ବା ମନ୍ଦ ହେଉ ପ୍ରତ୍ୟେକଙ୍କ ବ୍ୟକ୍ତିଙ୍କ କାର୍ଯ୍ୟଗୁଡିକର ବିବରଣୀ ଧାରଣ କରେ, କାରଣ ଈଶ୍ବର ଯେବେ ବି କୁହାଯାଇଥିବା, କରାଯାଇଥିବା, କିମ୍ବା ଏପରିକି ଚିନ୍ତା କରାଯାଇଥିବା ପ୍ରତ୍ୟେକ ବିଷୟ ଜାଣନ୍ତି, ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ସେମାନଙ୍କର କାର୍ଯ୍ୟାନୁଯାୟୀ ପୁରସ୍କୃତ କରିବେ କିମ୍ବା ଦଣ୍ଡ ଦେବେ (ଗୀତସଂହିତା ୨୮:୪; ୬୨:୧୨; ରୋମୀୟ ୨:୬; ପ୍ରକାଶିତ ୨:୨୩; ୧୮:୬; ୨୨:୧୨) ।

ପୁଣି, ଏହି ସମୟରେ, "ଜୀବନ ପୁସ୍ତକ" ନାମରେ ନାମିତ ଅନ୍ୟ ଏକ ପୁସ୍ତକ ଖୋଲାଗଲା (ପ୍ରକାଶିତ ୨୦:୧୨) । ଏହି ପୁସ୍ତକହିଁ ଜଣେ ବ୍ୟକ୍ତି ଈଶ୍ବରଙ୍କ ସହ ଅନନ୍ତ ଜୀବନ କାଟିବାକୁ ଅଧିକାର ପ୍ରାପ୍ତ ହେବା କିମ୍ବା ଅଗ୍ନିମୟ ହ୍ରଦରେ ଅନନ୍ତକାଳୀନ ଦଣ୍ଡ ପାଇବ ତାହା ନିର୍ଦ୍ଧାରଣ କରିବ । ଯଦିଓ ଖ୍ରୀଷ୍ଟିୟାନମାନେ ସେମାନଙ୍କର କାର୍ଯ୍ୟ ନିମନ୍ତେ ଦାୟୀ ଅଟନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ କ୍ଷମାପ୍ରାପ୍ତ ହୋଇଛନ୍ତି ଏବଂ ସେମାନଙ୍କର ନାମ "ଜଗତର ପତନାବଧି ଜୀବନ ପୁସ୍ତକରେ" ଲିଖିତ ହୋଇଛି (ପ୍ରକାଶିତ ୧୭:୮) । ମଧ୍ୟ ଆମେ ଶାସ୍ତ୍ରରୁ ଜାଣୁ ଯେ, ଏହି ବିଚାରରେ ହିଁ ମୃତମାନେ "ସେମାନେ କରିଥିବା କାର୍ଯ୍ୟାନୁସାରେ ବିଚାରିତ ହେବେ" (ପ୍ରକାଶିତ ୨୦:୧୨) ଏବଂ "ଯେଉଁମାନଙ୍କ ନାମ" "ଜୀବନ ପୁସ୍ତକରେ ଦେଖା" ନ ଗଲା ସେମାନଙ୍କୁ "ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା" (ପ୍ରକାଶିତ ୨୦:୧୫) ।

ଘଟନାଟି ହେଉଛି, ବିଶ୍ବାସୀ ଓ ଅବିଶ୍ବାସୀ ସମସ୍ତ ମନୁଷ୍ୟଙ୍କ ନିମନ୍ତେ ଏକ ଶେଷ ବିଚାର ହେବାକୁ ଯାଉଛି, ଓ ଏହା ଶାସ୍ତ୍ରର ଅନେକ ଅଂଶରେ ସ୍ବଷ୍ଟ ଭାବେ ନିଶ୍ଚିତ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଦିନେ ଖ୍ରୀଷ୍ଟଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ ଏବଂ ତାଙ୍କ କାର୍ଯ୍ୟ ଅନୁଯାୟୀ ବିଚାରିତ ହେବେ । ବୃହତ୍ ଶ୍ବେତ ସିଂହାସନ ବିଚାର ଯେ, ଶେଷ ବିଚାର ଏହା ଅତି ସ୍ବଷ୍ଟ ହୋଇଥିବା ସ୍ଥଳେ, ବାଇବଲରେ ଉଲ୍ଲିଖିତ ଅନ୍ୟ ବିଚାର ଗୁଡିକ ସହ ଏହା କିପରି ସମ୍ବନ୍ଧିତ ଅଟେ, ସେ ବିଷୟରେ ଖ୍ରୀଷ୍ଟିୟାନମାନେ ସମ୍ମତ ନୁହନ୍ତିଁ, ବିଶେଷତଃ, ବୃହତ୍ ଶ୍ବେତ ସିଂହାସନ ବିଚାରରେ କେଉଁମାନେ ବିଚାରିତ ହେବେ ।

କେତେକ ଖ୍ରୀଷ୍ଟିୟାନ ବିଶ୍ବାସ କରନ୍ତି ଯେ, ଶାସ୍ତ୍ର ଆଗାମୀ ତିନିଗୋଟି ବିଚାର ବିଷୟରେ ପ୍ରକାଶ କରେ । ପ୍ରଥମଟି ହେଉଛି ମେଷ ଏବଂ ଛାଗମାନଙ୍କର ବିଚାର ବା ଦେଶଗୁଡିକର ବିଚାର (ମାଥିଉ ୨୫:୩୧-୩୬) । ଏହା କ୍ଲେଶର ସମୟ ପରେ, କିନ୍ତୁ ସହସ୍ର ବର୍ଷର ରାଜୁତି ପୂର୍ବରୁ ଘଟିବ; ଏହାର ଉଦ୍ଦେଶ୍ୟ ହେଉଛି, କିଏ ସହସ୍ର ବର୍ଷ ରାଜୁତିରେ ଭାଗ ନେବେ । ଦ୍ବିତୀୟଟି ହେଉଛି ବିଶ୍ବାସୀମାନଙ୍କ କାର୍ଯ୍ୟ, ଅନେକ ସମୟରେ "ଖ୍ରୀଷ୍ଟଙ୍କ ବିଚାର ସିଂହାସନ [bema] ଭାବେ ଉଲ୍ଲେଖ କରାଯାଏ (୨କରିନ୍ଥୀୟ ୫:୧୦) । ଏହି ବିଚାରରେ, ଖ୍ରୀଷ୍ଟିୟାନମାନେ ସେମାନଙ୍କ କାର୍ଯ୍ୟ ବା ଈଶ୍ବରଙ୍କ ପ୍ରତି ସେମାନଙ୍କ ସେବା ଯୋଗୁଁ ବିଭିନ୍ନ ମାନର ପୁରସ୍କାର ପ୍ରାପ୍ତ ହେବେ । ତୃତୀୟଟି ହେଉଛି ସହସ୍ର ବର୍ଷର ଶେଷରେ ହେବାକୁ ଥିବା ବୃହତ୍ ଶ୍ବେତ ସିଂହାସନର ବିଚାର (ପ୍ରକାଶିତ ୨୦:୧୧-୧୫) । ଏହା ହେଉଛି ଅବିଶ୍ବାସୀମାନଙ୍କର ବିଚାର ଯେଉଁଠି ସେମାନେ ସେମାନଙ୍କ କାର୍ଯ୍ୟାନୁଯାୟୀ ବିଚାରିତ ହେବେ ଏବଂ ଅଗ୍ନିମୟ ହ୍ରଦରେ ଅନନ୍ତକାଳ ଦଣ୍ଡ ପାଇବା ନିମନ୍ତେ ପଠାଯିବେ ।

ଅନ୍ୟ ଖ୍ରୀଷ୍ଟିୟାନମାନେ ବିଶ୍ବାସ କରନ୍ତି ଯେ, ଏହି ତିନିଗୋଟି ବିଚାର ଶେଷ ବିଚାର ବିଷୟରେ ହିଁ କୁହେ, ଏବଂ ଏହା ପୃଥକ୍ ପୃଥକ୍ ତିନିଗୋଟି ବିଚାର ବିଷୟରେ କୁହେନାହିଁ । ଅନ୍ୟ ଭାବରେ କହିବାକୁ ଗଲେ, ପ୍ରକାଶିତ ୨୦:୧୧-୧୫ରେ ଥିବା ବୃହତ୍ ଶ୍ବେତ ସିଂହାସନ ବିଚାର ସମୟରେ ଉଭୟ ବିଶ୍ବାସୀମାନେ ଏବଂ ଅବିଶ୍ବାସୀମାନେ ବିଚାରିତ ହେବେ । ଯେଉଁମାନଙ୍କ ନାମ ଜୀବନ ପୁସ୍ତକରେ ଲିଖିତ ଥିବାର ଦେଖାଯିବ ସେମାନେ ପୁରସ୍କାର ପାଇବେ କିମ୍ବା ହରାଇବେ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ସେମାନଙ୍କ କାର୍ଯ୍ୟାନୁଯାୟୀ ବିଚାରିତ ହେବେ । ଯେଉଁମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯାଇନାହିଁ ସେମାନେ ଅଗ୍ନିମୟ ହ୍ରଦରେ ପାଇବାକୁ ଥିବା ଦଣ୍ଡର ମାତ୍ରା ନିର୍ଦ୍ଧାରଣ କରିବା ନିମନ୍ତେ ସେମାନଙ୍କ କାର୍ଯ୍ୟାନୁଯାୟୀ ବିଚାରିତ ହେବେ । ଯେଉଁମାନେ ଏହି ମତବାଦର ଧାରଣା ରଖନ୍ତି ସେମାନେ ବିଶ୍ବାସ କରନ୍ତି ଯେ, ବୃହତ୍ ଶ୍ବେତ ସିଂହାସନ ବିଚାରରେ ଯାହା ଘଟିବ ମାଥିଉ ୨୫:୩୧-୪୬ ତାହାର ଅନ୍ୟ ଏକ ବର୍ଣ୍ଣନା । ସେମାନେ ଏହି ଘଟନାକୁ ସୂଚୀତ କରନ୍ତି ଯେ,ଏହି ବିଚାରର ଫଳାଫଳ ପ୍ରକାଶିତ ୨୦:୧୧-୧୫ରେ ଲିଖିତ ବୃହତ୍ ଶ୍ବେତ ସିଂହାସନ ବିଚାର ପରେ ଯାହା ଘଟିବ ତାହା ସହ ସମାନ । ମେଷମାନେ (ବିଶ୍ବାସୀମାନେ) ଅନନ୍ତ ଜୀବନ ମଧ୍ୟକୁ ପ୍ରବେଶ କରନ୍ତି, ଯେତେବେଳେ କି ଛାଗମାନେ (ଅବିଶ୍ବାସୀମାନେ) "ଅନନ୍ତ ଦଣ୍ଡ" ମଧ୍ୟକୁ ନିକ୍ଷେପ କରାଯାଆନ୍ତି (ମାଥିଉ ୨୫:୪୬) ।

ବୃହତ୍ ଶ୍ବେତ ସିଂହାସନ ବିଷୟରେ ଜଣେ ଯେକୌଣସି ମତ ପୋଷଣ କରନ୍ତୁ ନା କାହିଁକି, ଆଗାମୀ ବିଚାର(ଗୁଡିକ) ବିଷୟକ ଘଟନା ପ୍ରତି ଆମ୍ଭମାନଙ୍କର ଚକ୍ଷୁ ବନ୍ଦ ନ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ପ୍ରଥମ, ଯୀଶୁଖ୍ରୀଷ୍ଟ ବିଚାରକର୍ତ୍ତା ହେବେ, ସମସ୍ତ ଅବିଶ୍ବାସୀ ଖ୍ରୀଷ୍ଟଙ୍କ ଦ୍ବାରା ବିଚାରିତ ହେବେ, ଏବଂ ସେମାନେ ଯାହାଯାହା କରିଅଛନ୍ତି ସେମାନଙ୍କର ସେହିସମସ୍ତ କର୍ମାନୁଯାୟୀ ସେମାନେ ଦଣ୍ଡ ପାଇବେ । ବାଇବଲ ସ୍ବଷ୍ଟ ଭାବେ କୁହେ ଯେ, ଅବିଶ୍ବାସୀମାନେ ନିଜ ନିଜ ନିମନ୍ତେ କ୍ରୋଧ ସଞ୍ଚୟ କରୁଅଛନ୍ତି (ରୋମୀୟ ୨:୫) ଏବଂ ଈଶ୍ବର "ପ୍ରତ୍ୟେକଙ୍କ କର୍ମାନୁଯାୟୀ ଫଳ ଦେବେ" (ରୋମୀୟ ୨:୬) । ବିଶ୍ବାସୀମାନେ ମଧ୍ୟ ଖ୍ରୀଷ୍ଟଙ୍କ ଦ୍ବାରା ବିଚାରିତ ହେବେ, କିନ୍ତୁ ଯେହେତୁ ଖ୍ରୀଷ୍ଟଙ୍କ ଧାର୍ମିକତା ଆମ୍ଭମାନଙ୍କଠାରେ ରୋପିତ କରାଯାଇଛି ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇଛି, ଆମ୍ଭେମାନେ ପୁରସ୍କୃତ ହେବା, କିନ୍ତୁ ଆମ୍ଭମାନଙ୍କ କର୍ମାନୁଯାୟୀ ଦଣ୍ଡପ୍ରାପ୍ତ ହେବାନାହିଁ । ରୋମୀୟ ୧୪:୧୦-୧୨ କୁହେ ଯେ, ଆମେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ଦଣ୍ଡାୟମାନ ହେବା ଏବଂ ଆମ୍ଭେମାନେ ପ୍ରତ୍ୟେକେ ଈଶ୍ବରଙ୍କ ନିକଟରେ ଆମ୍ଭମାନଙ୍କର ହିସାବ ଦେବା ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବୃହତ୍ ଶ୍ବେତ ସିଂହାସନ ବିଚାର କ'ଣ?
© Copyright Got Questions Ministries