settings icon
share icon
ପ୍ରଶ୍ନ

ଯୀଶୁ କୌଣସି ଏକ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିଲେକି?

ଉତ୍ତର


ଯୀଶୁ ସପ୍ତାହର କେଉଁ ଦିନ କ୍ରୁଶବିଦ୍ଧ ହୋଇଥିଲେ ସେ ବିଷୟରେ ବାଇବଲ ନିର୍ଦ୍ଧିଷ୍ଟ ଭାବରେ ଦର୍ଶାଏ ନାହିଁ । ଅଧିକ ଲୋକଙ୍କ ମତରେ ଶୁକ୍ରବାର ଓ ବୁଧବାର କ୍ରୁଶବିଦ୍ଧର ଦିନ ଅଟେ । କିଛି ଲୋକ ଅବଶ୍ୟ ଉଭୟ ଶୁକ୍ରବାର ଓ ବୁଧବାର ଯୁକ୍ତିକୁ ମିଶାଇ ଏହାକୁ ଗୁରୁବାର ବୋଲି କୁହନ୍ତି । ମାଥିଉ 12:40ରେ ଯୀଶୁ କହିଲେ “କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତ୍ରି ବୃହତ୍‍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତ୍ରି ଭୂଗର୍ଭରେ ରହିବେ ।” ଯେଉଁମାନେ ଶୁକ୍ରବାରକୁ କ୍ରୁଶବିଦ୍ଧର ଦିନ ବୋଲି କୁହନ୍ତି ସେ ଯୁକ୍ତିଯୁକ୍ତ ଭାବରେ ତିନିଦିନ ସମାଧିରେ ରହିପାରିଥିବେ । ପ୍ରଥମ ଶତାବ୍ଦୀରେ ଥିବା ଯିହୂଦୀମାନଙ୍କ ମନରେ, କୌଣସି ଏକ ଦିନର କିଛି ଅଂଶକୁ ମଧ୍ୟ ପୂରା ଦିନ ବୋଲି ଧରିନିଆଯାଉଥିଲା । ଯେହେତୁ ଯୀଶୁ ଶୁକ୍ରବାରର କିଛି ସମୟ ସମାଧିରେ ଥିଲେ, ପୂରା ଶନିବାର ଦିନ ଥିଲେ ଓ ରବିବାରର କିଛି ସମୟ ଥିଲେ, ତେଣୁ ସେ ସମାଧିରେ ତିନି ଦିନ ରହିଥିବାର ବିଚାର କରାଯାଇପାରିବ । ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ସପକ୍ଷରେ ଯୁକ୍ତି ମଧ୍ୟରୁ ଗୋଟିଏ ବଡ ଯୁକ୍ତି ମାର୍କ 15:42ରେ ଦେଖାଯାଏ ଯେଉଁଥିରେ ଯୀଶୁ “ବିଶ୍ରାମବାରର ପୂର୍ବ ଦିନ” କ୍ରୁଶବିଦ୍ଧ ହୋଇଥିବାର ଲେଖାଯାଏ । ଯଦି ତାହା ସାପ୍ତାହିକ ବିଶ୍ରାମବାର, ଅର୍ଥାତ୍‍ ଶନିବାର, ତେବେ ସେହି ଘଟନା ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ବିଷୟକୁ ସମର୍ଥନ କରେ ।

ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିବା ବିଷୟରେ ଆଉ ଏକ ଯୁକ୍ତି ହେଉଛି ମାଥିଉ 16:21 ଓ ଲୂକ 9:22 ପରି ପଦ ଯାହା ଶିକ୍ଷା ଦିଏ ଯେ ଯୀଶୁ ତୃତୀୟ ଦିନରେ ଉଠିବେ; ଅତଏବ, ସେ ପୂରା ତିନି ଦିନ ଓ ତିନି ରାତି ସମାଧିରେ ରହିବାର ଆବଶ୍ୟକତା ନାହିଁ । କିନ୍ତୁ କିଛି ଅନୁବାଦରେ ଏହି ପଦଗୁଡିକରେ ଏହାକୁ “ତୃତୀୟ ଦିନରେ” ବୋଲି ଅନୁବାଦ କରାଯାଇଥିବା ବେଳେ, ସମସ୍ତ ଅନୁବାଦରେ ଏପରି ନାହିଁ ଏବଂ ଏହି ପଦଗୁଡିକୁ “ତୃତୀୟ ଦିନରେ” ବୋଲି ଅନୁବାଦ କରିବା ସବୁଠାରୁ ଭଲ ଅନୁବାଦ ନୁହେଁ । ଆହୁରି ମଧ୍ୟ, ମାର୍କ 8:31 କୁହେ ଯେ ଯୀଶୁ ତୃତୀୟ ଦିନ “ପରେ” ଉଠିବେ ।

ଗୁରୁବାର ଦିନ କ୍ରୁଶବିଦ୍ଧ ସପକ୍ଷରେ ଥିବା ଯୁକ୍ତି ଶୁକ୍ରବାର ମତ ଉପରେ ବଢିଛି ଏବଂ ଏହା ମୁଖ୍ୟତଃ ଯୁକ୍ତି କରେ ଯେ ଖ୍ରୀଷ୍ଟଙ୍କ ସମାଧିପ୍ରାପ୍ତ ଓ ରବିବାର ସକାଳ ମଧ୍ୟରେ ଅନେକ ଗୁଡିଏ ଘଟନା (କିଛି ଲୋକ ଏହାକୁ କୋଡିଏ ପର୍ଯ୍ୟନ୍ତ ବୋଲି ଗଣନା କରନ୍ତି) ଘଟିଛି । ଗୁରୁବାର ମତକୁ ସମର୍ଥନ କରୁଥିବା ଲୋକମାନେ କୁହନ୍ତି ଯେ ଶୁକ୍ରବାର ଓ ରବିବାର ମଧ୍ୟରେ ଥିବା ଏକମାତ୍ର ପୂରା ଦିନ ହେଉଛି ଶନିବାର, ଯାହା ଯିହୂଦୀ ବିଶ୍ରାମବାର ଅଟେ । ଏକ ଅତିରିକ୍ତ ଦିନ ରହିଲେ, ଏହି ସମସ୍ୟା ଉପୁଜେ ନାହିଁ । ଗୁରୁବାରକୁ ସମର୍ଥନ କରୁଥିବା ଲୋକେ ଏହିପରି ଭାବରେ ଯୁକ୍ତି କରନ୍ତି: ଧରନ୍ତୁ ଆପଣ ସୋମବାର ସଂନ୍ଧ୍ୟାରୁ ଆପଣଙ୍କ ସାଙ୍ଗକୁ ଦେଖିନାହାନ୍ତି । ଆପଣ ତାକୁ ପରବର୍ତ୍ତୀ ସମୟରେ ଦେଖିଥିବା ସମୟ ହେଉଛି ଗୁରୁବାର ସକାଳ ଏବଂ ଆପଣ କହୁଛନ୍ତି “ମୁଁ ଆପଣଙ୍କୁ ତିନି ଦିନ ହେଲା ଦେଖିନାହିଁ” ଯଦିଓ ପ୍ରକୃତରେ ଦେଖିବାକୁ ଗଲେ ଏହା 60 ଘଣ୍ଟା (2.5 ଦିନ) ହିଁ ହେଉଛି । ଯଦି ଯୀଶୁ ଗୁରୁବାର ଦିନ କ୍ରୁଶବିଦ୍ଧ ହୋଇଥିଲେ, ତେବେ ଉପରେ ଦିଆଯାଇଥିବା ଉଦାହରଣ ପ୍ରକାରେ ଯୀଶୁଙ୍କ ସମାଧିରେ ରହିବା ତିନି ଦିନ ଭାବେ ବିଚାର କରାଯାଇପାରିବ ।

ବୁଧବାର ମତ ଦର୍ଶାଏ ଯେ ସେହି ସପ୍ତାହରେ ଦୁଇଗୋଟି ବିଶ୍ରାମବାର ରହିଥିଲା । ପ୍ରଥମ ବିଶ୍ରାମବାର (ଯାହା କ୍ରୁଶବିଦ୍ଧର ସଂନ୍ଧ୍ୟା ସମୟରେ ଘଟିଥିଲା) [ମାର୍କ 15:42; ଲୂକ 23:52-54])ରେ ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ – ଲକ୍ଷ୍ୟ କରନ୍ତୁ ଯେ ସେମାନେ ବିଶ୍ରାମବାର ପରେ କିଣିଥିଲେ [ମାର୍କ 16:1] । ବୁଧବାର ମତ ଅନୁସାରେ ଏହି “ବିଶ୍ରାମବାର” ନିସ୍ତାରପର୍ବ ଥିଲା (ଲେବୀୟ 16:29-31, 23:24-32, 39 ଦେଖନ୍ତୁ, ଯେଉଁଠି ମହା ବିଶ୍ରାମବାର ସପ୍ତାହର ସପ୍ତମ ଦିନରେ ପଡୁଥିବା ବିଶ୍ରାମବାରକୁ ନିହାତି ବୁଝାଏ ନାହିଁ) । ସେହି ସପ୍ତାହର ଦ୍ବିତୀୟ ବିଶ୍ରାମବାର ସାଧାରଣ ବିଶ୍ରାମବାର ଥିଲା । ଲକ୍ଷ୍ୟ କରନ୍ତୁ ଯେ ଲୂକ 23:56ରେ ଯେଉଁ ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ ସେମାନେ ପ୍ରଥମ ବିଶ୍ରାମବାରରେ ଫେରିଥିଲେ ଓ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କରିଥିଲେ, ତା’ପରେ “ବିଶ୍ରାମବାରରେ ବିଶ୍ରାମ ନେଇଥିଲେ ।” ଏହି ଯୁକ୍ତି ଦର୍ଶାଏ ଯେ ସେମାନେ ବିଶ୍ରାମବାର ପରେ ସୁଗନ୍ଧି ଦ୍ରବ୍ୟ କିଣିପାରିବେ ନାହିଁ, ତଥାପି ସେମାନେ ବିଶ୍ରାମବାର ପୂର୍ବରୁ ଏହି ସମସ୍ତ ସୁଗନ୍ଧି ଦ୍ରବ୍ୟକୁ ପ୍ରସ୍ତୁତ କରିପାରିବେ ଯଦି ଦୁଇଗୋଟି ବିଶ୍ରାମବାର ନ ଥାନ୍ତା । ଦୁଇଗୋଟି ବିଶ୍ରାମବାର ଥିବା ମତ ଅନୁସାରେ, ଯଦି ଖ୍ରୀଷ୍ଟ ଗୁରୁବାର ଦିନ କ୍ରୁଶବିଦ୍ଧ ହେଲେ, ତେବେ ମହା ବିଶ୍ରାମବାର (ନିସ୍ତାରପର୍ବ) ଗୁରୁବାରର ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୋଇଥାନ୍ତା ଏବଂ ଶୁକ୍ରବାର ସୂର୍ଯ୍ୟାସ୍ତରେ ଶେଷ ହୋଇଥାନ୍ତା ଯାହା ସାପ୍ତାହିକ ବିଶ୍ରାମବାର ଅର୍ଥାତ୍‍ ଶନିବାର । ସୁଗନ୍ଧି ଦ୍ରବ୍ୟ ପ୍ରଥମ ବିଶ୍ରାମବାର (ନିସ୍ତାରପର୍ବ) ପରେ କିଣିବାର ଅର୍ଥ ହେଉଛି ସେମାନେ ସେଗୁଡିକୁ ଶନିବାରରେ କିଣିଥିଲେ ଓ ବିଶ୍ରାମବାର ପାଳନ କରିବାର ନିୟମ ଭାଙ୍ଗୁ ଥିଲେ ।

ଅତଏବ, ବୁଧବାର ମତ ଦୃଷ୍ଟିକୋଣରୁ, ମାଥିଉ ୧୨:୪୦ର ଆକ୍ଷରିକ ଅର୍ଥରେ ସ୍ତ୍ରୀଲୋକମାନେ ଓ ସୁଗନ୍ଧିଦ୍ରବ୍ୟର ବାଇବଲ ଲେଖା ବାହାରେ ନ ଯାଉଥିବା ଏକମାତ୍ର ବ୍ୟାଖ୍ୟା ହେଉଛି ଖ୍ରୀଷ୍ଟ ବୁଧବାର ଦିନ କ୍ରୁଶବିଦ୍ଧ ହୋଇଥିଲେ । ମହା ବିଶ୍ରାମବାର ପଡୁଥିବା ବିଶ୍ରାମବାର ଗୁରୁବାର ଦିନ ପଡୁଥିଲା, ସ୍ତ୍ରୀ ଲୋକମାନେ ସୁଗନ୍ଧି ଦ୍ରବ୍ୟ କିଣିଥିଲେ (ତାହା ପରେ) ଶୁକ୍ରବାର ଦିନ ସେମାନେ ଫେରିଥିଲେ ଓ ସେହି ଦିନ ହିଁ ସୁଗନ୍ଧି ଦ୍ରବ୍ୟ କିଣିଥିଲେ, ସେମାନେ ଶନିବାର ଦିନ ବିଶ୍ରାମ ନେଇଥିଲେ ଯାହା ସାପ୍ତାହିକ ବିଶ୍ରାମବାର ଥିଲା, ତା’ପରେ ସେମାନେ ରବିବାର ଭୋର ସକାଳୁ ସେହି ସୁଗନ୍ଧି ଦ୍ରବ୍ୟକୁ ସମାଧି ନିକଟକୁ ଆଣିଥିଲେ । ଯୀଶୁ ବୁଧବାର ଦିନ ସୂର୍ଯ୍ୟାସ୍ତ ପାଖାପାଖି ସମୟରେ ସମାଧି ପାଇଥିଲେ, ଯାହା ଯିହୂଦୀମାନଙ୍କ କ୍ୟାଲେଣ୍ଡର ଅନୁଯାୟୀ ଗୁରୁବାର ପଡିଥିଲା । ଯିହୂଦୀ କ୍ୟାଲେଣ୍ଡର ଅନୁଯାୟୀ ଆପଣ ନିମ୍ନ ଅନୁସାରେ ତିନିଦିନ ତିନିରାତି ପାଉଛନ୍ତି – ଗୁରୁବାର ରାତି (ପ୍ରଥମ ରାତି), ଗୁରୁବାର ଦିନ (ପ୍ରଥମ ଦିନ), ଶୁକ୍ରବାର ରାତି (ଦ୍ବିତୀୟ ରାତି), ଶୁକ୍ରବାର ଦିନ (ଦ୍ବିତୀୟ ଦିନ), ଶନିବାର ରାତି (ତୃତୀୟ ରାତି) ଓ ଶନିବାର ଦିନ (ତୃତୀୟ ଦିନ) । ଠିକ୍‍ କେଉଁ ସମୟରେ ସେ ଉଠିଲେ ତାହା ଆମେ ଜାଣୁନାହୁଁ, କିନ୍ତୁ ଆମେ ଏତିକି ଜାଣିଛୁ ଯେ ସେ ରବିବାର ସୂର୍ଯ୍ୟ ଉଇଁବା ପୂର୍ବରୁ ଉଠିଥିଲେ । ସେ ଶନିବାର ସଂନ୍ଧ୍ୟାର ସୂର୍ଯ୍ୟାସ୍ତ ପରେ ପରେ ଉଠିଥାଇପାରନ୍ତି, ଯାହା ଯିହୂଦୀମାନଙ୍କ ସପ୍ତାହର ପ୍ରଥମ ଦିନର ଆରମ୍ଭ ହେଉଥିଲା । ଶୂନ୍ୟ ସମାଧିକୁ ଶିଷ୍ୟମାନେ ପୂରା ଆଲୋକ ହେବା ପୂର୍ବରୁ (ଯୋହନ 20:1) ଠିକ୍‍ ସୂର୍ଯ୍ୟାସ୍ତରେ ଦେଖିଥିଲେ (ମାର୍କ 16:2) ।

ବୁଧବାର ମତରେ ଏକ ସାମ୍ଭାବ୍ୟ ସମସ୍ୟା ହେଉଛି ଯେ ଯେଉଁ ଶିଷ୍ୟମାନେ ଯୀଶୁଙ୍କ ସହିତ ଇମ୍ମାୟୁକୁ ଯିବା ରାସ୍ତାରେ ଯାଉଥିଲେ ସେମାନେ ତାହାଙ୍କ ପୁନରୁତ୍ଥାନ ଯେଉଁଦିନ ଥିଲା “ସେହି ଦିନ” ହିଁ ଯାଉଥିଲେ (ଲୂକ 24:13) । ଯେଉଁ ଶିଷ୍ୟମାନେ ଯୀଶୁଙ୍କୁ ଚିହ୍ନିପାରୁନଥିଲେ, ସେମାନେ ଯୀଶୁଙ୍କ କ୍ରୁଶବିଦ୍ଧ ବିଷୟରେ ତାହାଙ୍କୁ କହିଥିଲେ (24:11) ଏବଂ ସେମାନେ କହିଲେ “ଏହି ସମସ୍ତ ଘଟିବାର ଆଜକୁ ତିନିଦିନ ହେଲା” (24:22) । ବୁଧବାରରୁ ରବିବାର ଚାରିଦିନ ହେଉଛି । ଏହାର ଏକ ସାମ୍ଭାବ୍ୟ ବ୍ୟାଖ୍ୟ ଏପରି ହେବ ଯେ ଖ୍ରୀଷ୍ଟ ସମାଧି ପାଇଥିବା କାର୍ଯ୍ୟକୁ ବୁଧବାରରୁ ଗଣନା କରିଥିବେ ଯାହା ଯିହୂଦୀମାନଙ୍କ ଗୁରୁବାରର ଆରମ୍ଭ ହୋଇଯାଉଥିଲା, ଏବଂ ଗୁରୁବାରରୁ ରବିବାର ତିନି ଦିନ ଭାବରେ ଗଣନା କରାଯାଇପାରିବ ।

ଅନେକ ପ୍ରକାର ପଦ୍ଧତି ରହିଥିବାରୁ, ଖ୍ରୀଷ୍ଟ କେଉଁ ଦିନ କ୍ରୁଶବିଦ୍ଧ ହୋଇଥିଲେ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ ନୁହେଁ । ଯଦି ଏହା ଅତି ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତା, ତେବେ ଈଶ୍ବରଙ୍କ ବାକ୍ୟ ସ୍ବଷ୍ଟ ଭାବେ ଏହାର ଦିନ ଓ ସମୟ ଜଣାଇଦେଇଥାନ୍ତେ । ଆମ୍ଭମାନଙ୍କ ଯେଉଁ ବିଷୟ ଗୁରୁତ୍ବପୂର୍ଣ୍ଣ ଅଟେ, ତାହା ହେଉଛି ସେ ମଲେ ଏବଂ ଶାରିରୀକ ଭାବେ ମୃତ୍ୟୁରୁ ଉଠିଲେ । ଏହା ସହିତ ଆଉ ଯେଉଁ ବିଷୟ ସମାନ ରୂପେ ଗୁରୁତ୍ବପୂର୍ଣ୍ଣ ଅଟେ, ତାହା ହେଉଛି – ସମସ୍ତ ପାପୀ ଯେଉଁ ଦଣ୍ଡ ପାଇବାର ଯୋଗ୍ୟ ଅଟନ୍ତି ସେହି ଦଣ୍ଡ ନେବା ପାଇଁ ସେ ମଲେ । ଯୋହନ 3:16 ଏବଂ 3:36 ଉଭୟ କୁହନ୍ତି ଯେ ଆପଣ ତାହାଙ୍କଠାରେ ଆପଣଙ୍କ ବିଶ୍ବାସ ରଖିଲେ ତାହା ଆପଣଙ୍କୁ ଅନନ୍ତ ଜୀବନ ଦେବ! ସେ ବୁଧବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ କି ଗୁରୁବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ କି ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୁଅନ୍ତୁ, ଏହା ସମାନ ଭାବେ ସତ ଅଟେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଯୀଶୁ କୌଣସି ଏକ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହୋଇଥିଲେକି? ଯଦି ସେପରି ଅଟେ, ତେବେ ସେ ରବିବାର ଦିନ ପୁନରୁତ୍ଥିତ ହୋଇ ସମାଧିରେ କିପରି ତିନିଦିନ ରହିଥିଲେ?
© Copyright Got Questions Ministries