ଖ୍ରୀଷ୍ଟିୟ ବାପ୍ତିସ୍ମର ଗୁରୁତ୍ଵ କ’ଣ?


ପ୍ରଶ୍ନ: ଖ୍ରୀଷ୍ଟିୟ ବାପ୍ତିସ୍ମର ଗୁରୁତ୍ଵ କ’ଣ?

ଉତ୍ତର:
ଖ୍ରୀଷ୍ଟିୟ ବାପ୍ତିସ୍ମ ହେଉଛି ମଣ୍ଡଳୀ ପ୍ରତି ଯୀଶୁ ଦେଇଥିବା ଦୁଇଟି ଆଦେଶ ମଧ୍ୟରୁ ଗୋଟିଏ । ଯୀଶୁ ସ୍ଵର୍ଗାରୋହଣ କରିବାର ଠିକ୍‍ ପୂର୍ବରୁ କହିଲେ “ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି (ମାଥିଉ 28:19-20) ।” ଏହି ସମସ୍ତ ଶିକ୍ଷା ନିର୍ଦ୍ଧିଷ୍ଟ ଭାବରେ କୁହେ ଯେ ଯୀଶୁଙ୍କ ବାକ୍ୟ ଶିକ୍ଷା ଦେବା, ଶିଷ୍ୟତ୍ଵ କରିବା ଏବଂ ସମସ୍ତ ଶିଷ୍ୟକୁ ବାପ୍ତିସ୍ମ ଦେବା ହେଉଛି ମଣ୍ଡଳୀର ଦାୟିତ୍ଵ । ଏହି ସମସ୍ତ ବିଷୟ ପ୍ରତ୍ୱେକ ସ୍ଥାନରେ (“ସମସ୍ତ ଜାତି”) “ଜଗତର ଶେଷ ପର୍ଯ୍ୟନ୍ତ” କରିବାକୁ ପଡ଼ିବ । ତେଣୁ, ଅନ୍ୟ କୌଣସି କାରଣରୁ ନୁହେଁ, ବାପ୍ତିସ୍ମ ଦେବା ଯୀଶୁଙ୍କ ଆଜ୍ଞା ହୋଇଥିବାରୁ ଏହାର ଗୁରୁତ୍ଵ ରହିଛି ।

ମଣ୍ଡଳୀ ସ୍ଥାପନ ହେବା ପୂର୍ବରୁ ବାପ୍ତିସ୍ମ ପ୍ରଥା ପ୍ରଚଳିତ ଥିଲା । ପୁରାତନ କାଳରେ ଯିହୂଦୀମାନେ ପରିବର୍ତ୍ତିତ ହେଉଥିବା ଲୋକମାନଙ୍କୁ ସେମାନଙ୍କ “ପରିଷ୍କୃତ” ପ୍ରକୃତିକୁ ଦର୍ଶାଇବା ନିମନ୍ତେ ବାପ୍ତିସ୍ମ ଦେଉଥିଲେ । ବାପ୍ତିଜକ ଯୋହନ ପ୍ରଭୁଙ୍କ ପଥ ପ୍ରସ୍ତୁତ କରି କେବଳ ଅଣ- ଯିହୂଦୀମାନଙ୍କୁ ନୁହେଁ, କିନ୍ତୁ ଯିହୂଦୀମାନଙ୍କୁ, ଏହିପରି ପ୍ରତ୍ୟେକଙ୍କୁ ବାପ୍ତିସ୍ମ ଦେଉଥିଲେ କାରଣ ସମସ୍ତଙ୍କୁ ଅନୁତାପ କରିବାର ଆବଶ୍ୟକତା ରହିଥିଲା (ବା ରହିଛି) । ଅଥଚ, ଯୋହନଙ୍କ ବାପ୍ତିସ୍ମ, ଯାହା ଅନୁତାପକୁ ଦର୍ଶାଇଥାଏ, ତାହା ପ୍ରେରିତ ୧୮:୨୪-୨୬ ଓ ୧୯:୧-୭ ରେ ଦିଆଯାଇଥିବା ଖ୍ରୀଷ୍ଟିୟ ବାପ୍ତିସ୍ମ ପରି ନୁହେଁ । ଖ୍ରୀଷ୍ଟିୟ ବାପ୍ତିସ୍ମର ଆହୁରି ଏକ ଗଭୀର ଅର୍ଥ ଓ ଗୁରୁତ୍ଵ ରହିଛି ।

ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଆଯାଏ – ଏହା ହିଁ ଏକ “ଖ୍ରୀଷ୍ଟିୟ” ବାପ୍ତିସ୍ମ ଅଟେ । ଏହା ସେହି ଆଜ୍ଞା ଯାହା ଦ୍ଵାରା ଜେନ ବ୍ୟକ୍ତି ମଣ୍ଡଳୀର ସହଭାଗୀତାରେ ଅନ୍ତର୍ଭୁକ୍ତ ହୋଇଥାଏ । ଯେବେ ଆମେ ଉଦ୍ଧାର ପାଉ ଆମେ ଆତ୍ମାଙ୍କ ଦ୍ଵାରା ଖ୍ରୀଷ୍ଟଙ୍କ ଶରୀରରେ ବାପ୍ତିଜିତ ହୋଇଥାଉ ଯାହାକି ମଣ୍ଡଳୀ । ପ୍ରଥମ କରିନ୍ଥୀୟ ୧୨:୧୩ରେ ଲେଖାଯାଏ “ଯେଣୁ ଆମ୍ଭେମାନେ ଯିହୂଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ଵାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ଵାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ ।” ଜଳ ଦ୍ଵାରା ବାପ୍ତିସ୍ମ ହେବା ହେଉଛି ଆତ୍ମାଙ୍କ ବାପ୍ତିସ୍ମର ଏକ “ପୁନଃଗଠନ” ।

ଖ୍ରୀଷ୍ଟିୟ ବାପ୍ତିସ୍ମ ହେଉଛି ଏକ ମାଧ୍ୟମ ଜଦ୍ଦ୍ଵାରା ଜଣେ ବ୍ୟକ୍ତି ସର୍ବସାଧାରଣ ଭାବେ ବିଶ୍ଵାସ ଓ ଶିଷ୍ୟତ୍ଵକୁ ସ୍ଵୀକାର କରିଥାଏ । ଜଳ ବାପ୍ତିସ୍ମରେ ଜଣେ ବ୍ୟକ୍ତି ଅବ୍ୟକ୍ତ ଶବ୍ଦରେ କହିଥାଏ “ମୁଁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ଵାସକୁ ସ୍ଵୀକାର କରୁଅଛି; ଯୀଶୁ ମୋର ଆତ୍ମାକୁ ପାପରୁ ପରିଷ୍କୃତ କରିଅଛନ୍ତି, ଏବଂ ବର୍ତ୍ତମାନ ମୁଁ ଏକ ପବିତ୍ରିକରଣ ନୂତନ ଜୀବନ ପ୍ରାପ୍ତ କରିଅଛି ।”

ଖ୍ରୀଷ୍ଟିୟ ବାପ୍ତିସ୍ମ ଖ୍ରୀଷ୍ଟଙ୍କ ମୃତ୍ୟୁ, କବରସ୍ତ ଓ ପୁନରୁତ୍ଥାନକୁ ନାଟକୀୟ ଢଙ୍ଗରେ ଚିତ୍ରିତ କରିଥାଏ । ତତସଙ୍ଗେ ସଙ୍ଗେ, ଏହା ର ପାପ ପ୍ରତି ଆମ୍ଭମାନଙ୍କ ମୃତ୍ୟୁ ଓ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନକୁ ଚିତ୍ରିତ କରିଥାଏ । ପାପୀ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ସ୍ଵୀକାର କରିଥାଏ, ସେ ପାପ ପ୍ରତି ମୃତ୍ୟୁ ହୋଇଥାଏ (ରୋମୀୟ ୬:୧୧) ଏବଂ ଏକ ନୂତନ ଜୀବନପ୍ରାପ୍ତ ହୋଇଥାଏ (କଲସୀୟ ୨:୧୨) । ଜଳରେ ଡୁବିତ ହେବା ପାପ ପ୍ରତି ମୃତ ଏବଂ ଜଳରୁ ଉଠିବା ପରିଷ୍କୃତ ଓ ପବିତ୍ର ଜୀବନକୁ ଦର୍ଶାଏ ଯାହା ପରିତ୍ରାଣ ହେବା ପରେ ହୋଇଥାଏ । ରୋମୀୟ ୬:୪ ଏହାକୁ ନିମ୍ନ ପ୍ରକାରେ କହିଥାଏ: “ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ଵାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ଵାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ ।”

ସରଳ ଭାବେ କହିବାକୁ ଗଲେ, ବାପ୍ତିସ୍ମ ର ଅର୍ଥ ହେଲା, ଜଣେ ବିଶ୍ଵାସୀର ଅନ୍ତରରେ ହୋଇଥିବା ପରିବର୍ତ୍ତନର ବାହ୍ୟ ପରିପ୍ରକାଶ । ଖ୍ରୀଷ୍ଟିୟ ବାପ୍ତିସ୍ମ ହେଉଛି ପରିତ୍ରାଣ ପରେ ପ୍ରଭୁଙ୍କ ପ୍ରତି ଆଜ୍ଞାକାରିତାର ଏକ କାର୍ଯ୍ୟ; ଯଦିଓ ବାପ୍ତିସ୍ମ ପରିତ୍ରାଣ ସହ ଅତି ନିବିଡ଼ ଭାବରେ ସମ୍ବନ୍ଧିତ, ତଥାପି ଉଦ୍ଧାର ପାଇବା ଏହାର ଆବଶ୍ୟକତା ନାହିଁ । ବାଇବଲ ଅନେକ ସ୍ଥାନରେ ଏହି ଘଟନାର କ୍ରମକୁ ଏହିପରକାରରେ ଦେଖାଇଥାଏ (୧) ଜଣେ ବ୍ୟକ୍ତି ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କରେ (୨) ସେ ବାପ୍ତିଜିତ ହୋଇଥାଏ । ଏହି କ୍ରମଟି ପ୍ରେରିତ ୨:୪୧ରେ ଦେଖାଯାଇଛି । “ଯେଉଁମାନେ ତାହାଙ୍କ [ପିତରଙ୍କ] ସମ୍ବାଦକୁ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ” (ପ୍ରେରିତ ୧୬:୧୪-୧୫ ମଧ୍ୟ ଦେଖନ୍ତୁ) ।

ଯୀଶୁଖ୍ରୀଷ୍ଟଙ୍କଠାରେ ଥିବା ଜଣେ ନୂତନ ବିଶ୍ଵାସୀ ଯେତେ ଶୀଘ୍ର ସମ୍ଭବ ବାପ୍ତିଜିତ ହେବା ଉଚିତ । ପ୍ରେରିତ ୮ରେ ଫିଲିପ “ଯୀଶୁଙ୍କ ସୁସମାଚାର” ଇଥିଓପିଆ ନପୁଂସକଙ୍କ ନିକଟରେ ପ୍ରଚାର କଲେ ଏବଂ “ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କ’ଣ ବାଧା ଅଛି?” (୩୫-୩୬ ପଦ) । ସେହି ସ୍ଥାନରେ ସେମାନେ ରଥ ଅଟକାଇଲେ ଏବଂ ଫିଲିପ ସେହି ବ୍ୟକ୍ତିଙ୍କୁ ବାପ୍ତିସ୍ମ ଦେଲେ ।

ବାପ୍ତିସ୍ମ, ଖ୍ରୀଷ୍ଟଙ୍କ ମୃତ୍ୟୁ, ସମାଧିପ୍ରାପ୍ତ ଏବଂ ପୁନରୁତ୍ଥାନ ସହିତ ଜଣେ ବିଶ୍ଵାସୀର ଚିହ୍ନଟକରଣକୁ ବୁଝାଇଥାଏ । ପ୍ରତ୍ଵୋକ ସ୍ଥାନରେ ସୁସମାଚାର ପ୍ରଚାର କରାଯାଇଛି ଏବଂ ଲୋକମାନେ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଛନ୍ତି, ସେମାଙ୍କୁ ବାପ୍ତିଜିତ ହେବାକୁ ପଡ଼ିବ ।



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ



ଖ୍ରୀଷ୍ଟିୟ ବାପ୍ତିସ୍ମର ଗୁରୁତ୍ଵ କ’ଣ?