settings icon
share icon
ପ୍ରଶ୍ନ

ବିଶ୍ରାମବାର କେଉଁ ଦିନ? ଶନିବାର ନା ରବିବାର? ଖ୍ରୀଷ୍ଟିୟାନମାନେ ବିଶ୍ରାମବାର ପାଳନ କରିବା କଥା କି?

ଉତ୍ତର


ଯାତ୍ରା ୨୦:୧୧ରେ ବିଶ୍ରାମବାର ଓ ସୃଷ୍ଟି ମଧ୍ୟରେ ସମ୍ପର୍କ ଥିବା କାରଣରୁ ଅନେକ ସମୟରେ ଦାବୀ କରାଯାଏ ଯେ “ଈଶ୍ଵର ଏଦନରେ ଉଦ୍ୟାନରେ ବିଶ୍ରାମବାର ସ୍ଥାପନ କଲେ” । ଯଦିଓ ସପ୍ତମ ଦିନରେ ଈଶ୍ଵରଙ୍କ ବିଶ୍ରାମ (ଆଦି ୨:୩) ଏକ ଭବିଷ୍ୟତ ବିଶ୍ରାମବାରର ବ୍ୟବସ୍ଥାର ପୂର୍ବ ସୂଚନା, ତଥାପି ଇଶ୍ରାୟେଲ ସନ୍ତାନମାନେ ମିଶର ଦେଶ ଛାଡ଼ିବା ପୂର୍ବରୁ ବିଶ୍ରାମବାର ବିଷୟରେ ଲେଖାଯାଇନାହିଁ । ଶାସ୍ତ୍ରର କୌଣସି ସ୍ଥାନରେ ମଧ୍ୟ ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ବିଶ୍ରାମବାର ପାଳନ ବିଷୟରେ ସୂଚନା ନାହିଁ ।

ଈଶ୍ଵରଙ୍କ ବାକ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ କରେ ଯେ ବିଶ୍ରାମବାର ପାଳନ ଈଶ୍ଵର ଓ ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଏକ ବିଶେଷ ଚିହ୍ନ ଥିଲା: “ଏହେତୁ ଇଶ୍ରାୟେଲ ସନ୍ତାନଗଣ ଅନନ୍ତକାଳୀନ ନିୟମରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମଦିନ ପାଳନ କରିବେ । “ତାହା ଆମ୍ଭ ଓ ଇଶ୍ରାୟେଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ ନେଇଥିଲେ ” (ଯାତ୍ରା ୩୧:୧୬-୧୭) ।

ଦ୍ଵିତୀୟ ବିବରଣ ୫ରେ, ମୋଶା ଇଶ୍ରାୟେଲର ପରବର୍ତ୍ତୀ ପିଢ଼ି ସହିତ ଦଶଆଜ୍ଞାକୁ ପୁନରା ବୃତ୍ତି କଲେ । ଏଠାରେ, ୧୨-୧୪ ପଦରେ ବିଶ୍ରାମବାର ପାଳନ କରିବା ନିମନ୍ତେ ଆଦେଶ ଦେଲା ଉତ୍ତାରେ, ମୋଶା ଯେ ଇଶ୍ରାୟେଲ ଦେଶକୁ ବିଶ୍ରାମବାର ପାଳନ କରିବାର କାରଣ ଦେଖାନ୍ତି: “ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିଶର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ବାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି” (ଦ୍ଵିତୀୟ ବିବରଣ ୫:୧୫) ।

ଇଶ୍ରାୟେଲୀୟମାନେ ଯେ ସୃଷ୍ଟି କାର୍ଯ୍ୟକୁ ମନେ ପକାଇବେ ସେଥିପାଇଁ ଇଶ୍ରାୟେଲୀୟମାନଙ୍କୁ ଈଶ୍ଵର ବିଶ୍ରାମବାର ଦେଇନଥିଲେ କିନ୍ତୁ ସେମାନେ ଯେପରି ମିଶରର ଦାସତ୍ଵ ଅବସ୍ଥା ଓ ସେଠାରୁ ସଦାପ୍ରଭୁଙ୍କ ଉଦ୍ଧାରକୁ ସ୍ମରଣ କରିବେ ସେଥିପାଇଁ ସେମାନଙ୍କୁ ବିଶ୍ରାମବାର ଦେଇଥିଲେ । ବିଶ୍ରାମବାର ପାଳନର ଆବଶ୍ୟକତାକୁ ଲକ୍ଷ୍ୟ କରନ୍ତୁ; ବିଶ୍ରାମବାର ନିୟମ ଅନୁସାରେ ଜଣେ ବ୍ୟକ୍ତି ବିଶ୍ରାମବାରରେ ତା’ ଘରୁ ବାହାରକୁ ଯାଇପାରିବ ନାହିଁ (ଯାତ୍ରା ୧୬:୨୯), ସେ ନିଆଁ ଜାଳିପାରିବ ନାହିଁ (ଯାତ୍ରା ୩୫:୩), ଏବଂ ସେ ଅନ୍ୟ କାହାକୁ କାମ କରାଇପାରିବ ନାହିଁ (ଦ୍ଵିତୀୟ ବିବରଣ ୧୫:୧୪) । ବିଶ୍ରାମବାରର ନିୟମ ଲଙ୍ଘନ କରିବା ବ୍ୟକ୍ତି ନିମନ୍ତେ ମୃତ୍ୟୁ ଦଣ୍ଡ ଥିଲା (ଯାତ୍ରା ୩୧:୩୫ ଗଣନା ୧୫:୩୨-୩୫) ।

ନୂତନ ନିୟମରେ ଥିବା ଶାସ୍ତ୍ରାଂଶଗୁଡ଼ିକର ପରୀକ୍ଷା ଆମ୍ଭମାନଙ୍କୁ ଚାରିଗୋଟି ଗୁରୁତ୍ଵପୂର୍ଣ୍ଣ ବିଷୟ ଦେଖାଏ: (୧) ଖ୍ରୀଷ୍ଟ ତାଙ୍କ ପୁନରୁତ୍ଥିତ ଶରୀରରେ ଦେଖାଦେବା ବିଷୟରେ ଯେତେବେଳେବି ଲେଖାଯାଏ, ସେତେବେଳେ ଏହା ସପ୍ତାହର ପ୍ରଥମ ଦିନ ହିଁ ଥିଲା (ମାଥିଉ ୨୮:୧, ୯ , 10; ମାର୍କ ୧୬:୯; ଲୂକ ୨୪:1, ୧୩, ୧୫; ଯୋହନ ୨୦:୧୯,୨୬ ) । (୨) ପ୍ରେରିତ ପୁସ୍ତକରୁ ପ୍ରକାଶିତ ପୁସ୍ତକ ମଧ୍ୟରେ ଯେଉଁ ଗୋଟିଏ ଥର ବିଶ୍ରାମବାର ବିଷୟରେ ଲେଖାଯାଇଛି ତାହାର ଉଦ୍ଦେଶ୍ୟ ଯିହୂଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କାର୍ଯ୍ୟ ଉଦ୍ଦେଶ୍ୟରେ ଏବଂ ଏହାର ପରିସ୍ଥିତି ସାଧାରଣତଃ ଏକ ସମାଜଗୃହରେ ହୋଇଛି (ପ୍ରେରିତ ୧୩-୧୮ପର୍ବ)। ପାଉଲ ଲେଖିଲେ “ଯେପରି ମୁଁ ଯିହୂଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୂଦୀମାନଙ୍କଠାରେ ମୁଁ ଯିହୂଦୀ ପରି ହେଲି” (୧କରିନ୍ଥୀୟ ୯:୨୦) । ପାଉଲ ସହଭାଗୀତା ପାଇଁ କିମ୍ବା ସାଧୁମାନଙ୍କର ନିଷ୍ଠା ଜନ୍ମାଇବା ପାଇଁ ସମାଜଗୃହକୁ ଯାଇନଥିଲେ, କିନ୍ତୁ ହୃତ୍‍‍ବୋଧ କରିବାକୁ ଓ ବିନାଶ ପାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । (୩) ଥରେ ପାଉଲ କହିଥିଲେ “ଏଣିକି ମୁଁ ବିଜାତିମାନଙ୍କ ନିକଟକୁ ଯିବି” (ପ୍ରେରିତ ୧୮:୬), ତାହାପରେ ଆଉ ବିଶ୍ରାମବାର ବିଷୟରେ ଲେଖାଯାଇନାହିଁ । (୪) ବିଶ୍ରାମବାର ପ୍ରତି ବିଶ୍ଵସ୍ତ ହେବାକୁ ପରାମର୍ଶ ନ ଦେଇ, ନୂତନ ନିୟମର ବଳକା ଅଂଶ ଏହାର ବିପରୀତକୁ ହିଁ ଦର୍ଶାଏ (ଉପରେ ଦିଆଯାଇଥିବା ୩ ବିଷୟର ବ୍ୟତିକ୍ରମଣ ସହ, ଯାହା କଲସୀୟ ୨:୧୬ରେ ଦିଆଯାଇଛି) ।

ଉପରେ ଦିଆଯାଇଥିବା ୪ ବିଷୟକୁ ଯଦି ଆମେ ଅଧିକ ପାଖେଇ ଦେଖିବା ତେବେ ବିଶ୍ଵାସୀମାନେ ବିଶ୍ରାମବାର ପାଳନ କରିବା ନିମନ୍ତେ ନୂତନ ନିୟମରେ କୌଣସି ବାଧ୍ୟବାଧକତା ନାହିଁ, ଏବଂ ଏହା ଆହୁରି ଦେଖାଏ ଯେ ରବିବାର “ଖ୍ରୀଷ୍ଟିୟ ବିଶ୍ରାମବାର” ମଧ୍ୟ ଶାସ୍ତ୍ର ସମ୍ମତ ନୁହେଁ। ଉପରେ ଆଲୋଚନା କରାଯାଇଥିବା ପ୍ରକାରେ ପାଉଲ ବିଜାତୀମାନଙ୍କ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବାର ଆରମ୍ଭ କରିବା ପରେ ଥରେ ବିଶ୍ରାମବାର ଲେଖାଯାଇଛି । “ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କର ବିଚାର ନ କରୁ । ସେହିସବୁ ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ” (କଲସୀୟ ୨:୧୬-୧୭) । ଯିହୂଦୀ ବିଶ୍ରାମବାର କ୍ରୁଶରେ ଲୋପ ହୋଇଥିଲା ଯେତେବେଳେ ଖ୍ରୀଷ୍ଟ “ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା ତାହା ଆମ୍ଭମାନଙ୍କ ପଥରୁ ଦୂର କରିଦେଇଇଅଛନ୍ତି” (କଲସୀୟ ୨:୧୪)

ଏହି ଧାରଣା ବିଷୟରେ ନୂତନ ନିୟମରେ ଏକରୁ ଅଧିକ ଥର ପ୍ରକାଶ କରାଯାଇଛି: “ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନରୂପେ ମାନ୍ୟ କରେ । ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ । ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ;” (ରୋମୀୟ ୧୪:୫-୬କ) । “କିନ୍ତୁ ଏବେ ଈଶ୍ଵରଙ୍କ ପରିଚୟ ପାଇଅଛ; ବରଞ୍ଚ ଈଶ୍ଵରଙ୍କ ଦ୍ବାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହିସବୁର ଦାସ ହେବାକୁ ଇଛା କରୁଅଛ? ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ ପର୍ବ ଓ ବର୍ଷ ପାଳନ କରିଥାଅ” (ଗାଲାତୀୟ ୪:୯-୧୦) ।

କିନ୍ତୁ କିଛି ଲୋକ ଦାବୀ କରନ୍ତି ଯେ ୩୨୧ ଖ୍ରୀଷ୍ଟାବ୍ଦରେ କନ୍‍‍ଷ୍ଟାଣ୍ଟାଇନ୍‍‍ଙ୍କ ଅନୁମତିରେ ବିଶ୍ରାମବାର ଶନିବାରରୁ ରବିବାରକୁ “ପରିବର୍ତ୍ତିତ” ହୋଇଥିଲା । କେଉଁ ଦିନ ଆଦ୍ୟ ମଣ୍ଡଳୀ ଉପାସନା କରିବା ପାଇଁ ଏକାଠି ହେଉଥିଲେ? ଶାସ୍ତ୍ରରେ କୌଣସି ବିଶ୍ରାମବାର (ଶନିବାର) ବିଷୟରେ କେବେ ଲେଖାଯାଇନାହିଁ । ଅଥଚ, ସପ୍ତାହର ପ୍ରଥମ ଦିନ ବୋଲି ସ୍ପଷ୍ଟ ଭାବରେ ଲେଖାଯାଇଛି । ଉଦାହରଣ ସ୍ଵରୂପ, ପ୍ରେରିତ ୨୦:୭ଦର୍ଶାଏ “ସପ୍ତାହର ପ୍ରଥମ ଦିନରେ ଯେତେବେଳେ ଆମ୍ଭେମାନେ ରୋଟୀ ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ ।” ୧କରିନ୍ଥୀୟ ୧୬:୨ରେ ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଉପଦେଶ ଦେଇ କୁହନ୍ତି “...ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି ସଞ୍ଚୟ କରି ରଖ ।” ଯେହେତୁ ପାଉଲ ଏହି ଦାନକୁ ୨କରିନ୍ଥୀୟ ୯:୧୨ରେ “ସେବା” ବୋଲି କହିଅଛନ୍ତି, ଏହି ଦାନର ଖ୍ରୀଷ୍ଟିୟ ସହଭାଗୀତାର ରବିବାର ଉପାସନା ସହ ସମ୍ପର୍କ ଥାଇପାରେ । ଐତିହାସିକ ଭାବରେ ଦେଖିଲେ ଶନିବାର ନୁହଁ, କିନ୍ତୁ ରବିବାର ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କର ସାଧାରଣ ଏକାଠି ହେବା ଦିନ ଥିଲା, ଏବଂ ଏହି ଅଭ୍ୟାସ ପ୍ରଥମ ଶତାବ୍ଦୀରୁ ରହିଆସିଛି ।

ବିଶ୍ରାମବାର ଇଶ୍ରାୟେଲୀୟମାନଙ୍କୁ ଦିଆଯାଇଥିଲା, ଏହା ମଣ୍ଡଳୀକୁ ଦିଆଯାଇନଥିଲା । ବିଶ୍ରାମବାର ବର୍ତ୍ତମାନ ସୁଦ୍ଧା ଶନିବାର ଅଟେ, ଏହା ରବିବାର ନୁହେଁ ଏବଂ କେବେ ପରିବର୍ତ୍ତନ ହୋଇନାହିଁ । କିନ୍ତୁ ବିଶ୍ରାମବାର ହେଉଛି ପୁରାତନ ନିୟମ ବ୍ୟବସ୍ଥାର ଏକ ଅଂଶ ଏବଂ ଖ୍ରୀଷ୍ଟିୟାନମାନେ ବ୍ୟବସ୍ଥାର ବନ୍ଧନରୁ ମୁକ୍ତ ଅଟନ୍ତି (ଗାଲାତୀୟ ୪:୧-୨୬; ରୋମୀୟ ୬:୧୪) । ବିଶ୍ରାମବାର ଶନିବାର ହେଉ କିମ୍ବା ରବିବାର ହେଉ ଏହା ଖ୍ରୀଷ୍ଟିୟାନମାନେ ପାଳନ କରିବା ଆବଶ୍ୟକ ନାହିଁ । ସପ୍ତାହର ପ୍ରଥମ ଦିନ ଅର୍ଥାତ୍‍ ରବିବାର, ଅର୍ଥାତ୍‍ ପ୍ରଭୁଙ୍କର ଦିନ (ପ୍ରକାଶିତ ୧:୧୦) ନୂତନ ସୃଷ୍ଟିକୁ ଆମ୍ଭମାନଙ୍କର ପୁନରୁତ୍ଥିତ ମସ୍ତକ (ମୁଖ୍ୟ) ଭାବରେ ଖ୍ରୀଷ୍ଟଙ୍କ ସହ ପାଳନ କରେ । ଆମେ ମୋଶାଙ୍କର ବିଶ୍ରାମବାରକୁ ପାଳନ କରିବା ନିମନ୍ତେ ବାଧ୍ୟ ନୋହୁଁ, କିନ୍ତୁ ଆମେ ବର୍ତ୍ତମାନ ପୁନରୁତ୍ଥିତ ଖ୍ରୀଷ୍ଟଙ୍କର ଅନୁଗମନ କରିବାକୁ ମୁକ୍ତ ଅଟୁ ଯାହା ସେବା ଅଟେ । ପ୍ରେରିତ ପାଉଲ କହିଲେ ପ୍ରତି ଖ୍ରୀଷ୍ଟିୟାନ ନିଷ୍ପତ୍ତି ନେବା ଉଚିତ ଯେ ସେ ବିଶ୍ରାମବାରର ବିଶ୍ରାମ ପାଳନ କରିବ ନା ନାହିଁ, “ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନରୂପେ ମାନ୍ୟ କରେ । ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ” (ରୋମୀୟ ୧୪:୫) । ଆମେ କେବଳ ଶନିବାର ବା ରବିବାର ଦିନ ନୁହେଁ, କିନ୍ତୁ ପ୍ରତ୍ୟେକ ଦିନ ଈଶ୍ଵରଙ୍କ ଉପାସନା କରିବା ଉଚିତ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ବିଶ୍ରାମବାର କେଉଁ ଦିନ? ଶନିବାର ନା ରବିବାର? ଖ୍ରୀଷ୍ଟିୟାନମାନେ ବିଶ୍ରାମବାର ପାଳନ କରିବା କଥା କି?
© Copyright Got Questions Ministries