settings icon
share icon
ପ୍ରଶ୍ନ

ଜୁଆଖେଳ କ’ଣ ପାପ ନୁହେଁ? ଜୁଆଖେଳ ବିଷୟରେ ବାଇବଲ କ’ଣ କୁହେ?

ଉତ୍ତର


ବାଇବଲ ନିର୍ଦ୍ଧିଷ୍ଟ ଭାବରେ ଜୁଆଖେଳ, ବାଜି ଲଗେଇବା କିମ୍ବା ଲଟେରୀ ଖେଳିବା ବିଷୟକୁ ନିନ୍ଦା କରେନାହିଁ । ଅଥଚ, ବାଇବଲ ଆମ୍ଭମାନଙ୍କୁ ଧନ ଲୋଭରୁ ଦୂରେଇ ରହିବା ନିମନ୍ତେ କହେ (୧ତିମଥି ୬:୧୦; ଏବ୍ରୀ ୧୩:୫) । “ଶୀଘ୍ର ଧନ ପାଇବା”ର ପ୍ରଚେଷ୍ଟାରୁ (ହିତୋ ୧୩:୧୧; ୨୩:୫ ;ଉପ ୫:୧୦) ମଧ୍ୟ ଦୂରେଇ ରହିବା ନିମନ୍ତେ କହେ । ଜୁଆ ଖେଳିବା ନିଶ୍ଚିତ ଭାବରେ ଅର୍ଥଲୋଭ ଉପରେ କେନ୍ଦ୍ରୀଭୂତ ଅଟେ ଏବଂ ନିଃସନ୍ଦେହରେ ଲୋକମାନଙ୍କୁ ଅତିଶୀଘ୍ର ଓ ସହଜରେ ଧନ ପାଇବାର ପ୍ରତିଜ୍ଞା କରିଥାଏ ।

ଜୁଆ ଖେଳିବା କାହିଁକି ଭୁଲ? ଜୁଆଖେଳ ହେଉଛି ଏକ କଷ୍ଟକର ଆଲୋଚନାର ବିଷୟ କାରଣ ଯଦି ଏହାକୁ ସଂଯମରେ ଓ କେବଳ ପର୍ବପର୍ବାଣୀରେ ଖେଳାଯାଏ, ତେବେ ଏହା ଅର୍ଥ ନଷ୍ଟ କରିବା ହେବ, କିନ୍ତୁ ଏହା ନିହାତି ଭାବରେ ମନ୍ଦ ହେବ ନାହିଁ । ଲୋକମାନେ ଅନେକ ପ୍ରକାର କାର୍ଯ୍ୟରେ ଅର୍ଥ ନଷ୍ଟ କରିଥାନ୍ତି । ଚଳଚ୍ଚିତ୍ର ଦେଖିବା (ଅନେକ କ୍ଷେତ୍ରରେ) କିମ୍ବା ଅତି ଦାମର ଅନାବଶ୍ୟକୀୟ ଭୋଜନ କରିବା କିମ୍ବା ଏକ ମୂଲ୍ୟହୀନ ବିଷୟ କିଣିବା ଅପେକ୍ଷା ଏହା ଅଧିକ ଅର୍ଥ ନଷ୍ଟ କରିବା ନୁହେଁ । ଅନ୍ୟ ସବୁ ବିଷୟରେ ଅର୍ଥ ନଷ୍ଟ କରିବା ଜୁଆଖେଳକୁ ଠିକ୍ ବୋଲି ସାବ୍ୟସ୍ତ କରେ ନାହିଁ । ଧନ ନଷ୍ଟ କରାଯିବା କଥା ନୁହେଁ । ଭବିଷ୍ୟଦର ଆବଶ୍ୟକତା ଓ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଯଥେଷ୍ଟ ଅର୍ଥ ରଖାଯିବା କଥା ଏବଂ ଏହାକୁ ଜୁଆଖେଳି ଉଡ଼ାଇ ଦିଆଯିବା ଉଚିତ ନୁହେଁ ।

ବାଇବଲ ଜୁଆଖେଳ ଖେଳିବା ବିଷୟରେ ସ୍ପଷ୍ଟ ଭାବରେ କିଛି କହୁନଥିବା ସ୍ଥଳେ, ଏହା “ଭାଗ୍ୟ” ବା “ସୁଯୋଗ” ବିଷୟରେ କହିଥାଏ । ଉଦାହରଣ ସ୍ଵରୂପେ ବଳିର ଛାଗ ଓ ତ୍ୟାଗର ଛାଗ ମଧ୍ୟରେ ମନୋନୟନ କରିବାକୁ ଲେବୀୟ ପୁସ୍ତକରେ ଗୁଲିବାଣ୍ଟ ବ୍ୟବହାର କରାଯାଇଛି । ଇଶ୍ରାୟେଲର ବିଭିନ୍ନ ଗୋଷ୍ଠୀକୁ ଭୂମି ବଣ୍ଟନ ନିର୍ଦ୍ଧାରଣ କରିବା ସମୟରେ ଯିହୋଶୂୟ ଗୁଲିବାଣ୍ଟ କରିଥିଲେ । ଯିରୁଶାଲମର ପ୍ରାଚୀର ମଧ୍ୟରେ କେଉଁମାନେ ବାସ କରିବେ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ନିହିମିୟା ଗୁଲିବାଣ୍ଟ କରିଥିଲେ । ଶିଷ୍ୟମାନେ ଯିହୂଦାଙ୍କ ସ୍ଥାନରେ ଆଉ କାହାକୁ ନେବେ, ସେଥିନିମନ୍ତେ ଗୁଲିବାଣ୍ଟ କରିଥିଲେ । ହିତୋ ୧୬:୩୩ରେ ଲେଖାଯାଏ “ଗୁଲିବାଣ୍ଟ କୋଳରେ ପକାଯାଏ, କିନ୍ତୁ ଜୟ ସଦାପ୍ରଭୁଙ୍କଠାରୁ ହୁଅଇ ।”

ଜୁଆଖେଳ ଓ ଲଟେରୀ ବିଷୟରେ ବାଇବଲ କ’ଣ କୁହେ? ଜୁଆଘର ଗୁଡ଼ିକ ଜୁଆଡ଼ି ମାନଙ୍କୁ ପ୍ରଲୋଭିତ କରିବା ନିମନ୍ତେ ଅନେକ ପ୍ରକାର ମାର୍କେଟିଙ୍ଗ ଯୋଜନା ‍ଗୁଡ଼ିକର ବ୍ୟବହାର କରୁ ଅଛନ୍ତି । ସେମାନେ ଅନେକ ସମୟରେ ଅତି ଦାମିକା ଏପରିକି ନିଶୁଳ୍କ ମଦ୍ୟ ଯୋଗାଇଥାନ୍ତି, ଯାହା ମଦୁଆ ହେବାକୁ ଉତ୍ସାହିତ କରିଥାଏ ଏବଂ ସେଥିଯୋଗୁଁ ସେମାନଙ୍କଠାରେ ବୁଦ୍ଧିପୂର୍ବକ ନିଷ୍ପତ୍ତି ନେବାର ସକ୍ଷମତା ହ୍ରାସ ପାଇଯାଇଥାଏ । ଜୁଆଘ ଅତି ଚତୁରାତର ସହିତ ଅତ୍ୟଧିକ ପଇସା ନେବା ଯୋଜନା କରାଯାଇଥାଏ, କିନ୍ତୁ ପ୍ରତିବଦଳରେ ଜୁଆଡ଼ିମାନଙ୍କୁ ଅଳ୍ପକ୍ଷଣ ଓ ଶୂନ୍ୟ ସୁଖ ଛଡ଼ା କିଛି ଦେଇ ନ ଥାଏ । ଲଟେରୀ ଶିକ୍ଷା କିମ୍ବା/ବା ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକୁ ଆର୍ଥିକ ସହାୟତା ଦେବା ଭଳି ନିଜକୁ ଚିତ୍ରଣ କରିଥାଏ । ଅଥଚ, ସର୍ବେକ୍ଷଣ କୁହେ ଯେ ଯେଉଁମାନେ ଲଟେରୀରେ ଭାଗ ନିଅନ୍ତି ସେମାନେ ଲଟେରୀ ଟିକେଟ କିଣିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ଯେଉଁମାନେ ହତାଶରେ ଥାଆନ୍ତି ସେମାନଙ୍କୁ “ଅତିଶୀଘ୍ର ଧନୀ ହେବାର ନିଶା ଘାରିଥାଏ । ଲଟେରୀ ଜିଣିବାର ସମ୍ଭାବନା ଅତି କମ୍‍ ହୋଇଥାଏ, ଜଦ୍ଦ୍ଵାରା ଅନେକ ଲୋକଙ୍କର ଜୀବନ ଛାରଖାର ହୋଇଯାଇଥାଏ ।

କ’ଣ ଲଟୋ/ଲଟେରୀରୁ ଆସୁଥିବା ଅର୍ଥ ଯୋଗୁଁ ଈଶ୍ଵର ସନ୍ତୋଷ ପାଇବେ? ଅନେକ ଲୋକ ମଣ୍ଡଳୀକୁ କିମ୍ବା ଅନ୍ୟ କିଛି ଉତ୍ତମ କାର୍ଯ୍ୟ ପାଇଁ ଅର୍ଥ ଦେବା ନିମନ୍ତେ ଲଟେରୀ ଖେଳୁ ଛନ୍ତି ବୋଲି କହିଥାନ୍ତି । ଏହା ଏକ ମହତ୍‍ ଉଦ୍ଦେଶ୍ୟ ହୋଇପାରେ, କିନ୍ତୁ ଅତି ଅଳ୍ପ ଜଣ ଜୁଆଖେଳରେ ଜିଣିଲେ ତାହା ଈଶ୍ଵରଙ୍କ କାର୍ଯ୍ୟରେ ଲଗାଇଥାନ୍ତି । ସର୍ବେକ୍ଷଣରୁ ଜଣାଯାଇଛି ଯେ ଯେଉଁମାନେ ଲଟେରୀ ଜିଣନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କିଛି ବର୍ଷ ପରେ ଏପରି ଦେବାଳିଆ ହୋଇଯାଆନ୍ତି ଯେ ସେମାନଙ୍କ ଅବସ୍ଥା ପୂର୍ବରୁ ଆହୁରି ଦୟନୀୟ ହୋଇଯାଇଥାଏ । ଯଦି କେହି ଦିଅନ୍ତି, ତେବେ ଅଳ୍ପଜଣ ହିଁ ଉତ୍ତମ କାର୍ଯ୍ୟ ନିମନ୍ତେ ଦେଇଥାନ୍ତି । ପୁଣି, ଜଗତରେ ଆପଣା ମିଶନକୁ ପୂରଣ କରିବା ନିମନ୍ତେ ଈଶ୍ଵର ଆମ ଅର୍ଥର ଆବଶ୍ୟକତାରେ ନାହିଁ।ନ୍ତି । ହିତୋ ୧୩:୧୧ରେ ଲେଖାଯାଏ “ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ, ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ ।” ଈଶ୍ଵର ସାର୍ବଭୌମ ଅଟନ୍ତି ଏବଂ ସେ ସଚ୍ଚୋଟ ଉପାୟରେ ତାଙ୍କ ମଣ୍ଡଳୀର ଆର୍ଥିକ ଆବଶ୍ୟକତାକୁ ପୂର୍ଣ୍ଣ କରିବେ । କଅଣ ଡ୍ରଗ୍ସରୁ ଆସୁଥିବା ଅର୍ଥ ବା ଏକ ବ୍ୟାଙ୍କ ଡକାୟତରୁ ଆସିଥିବା ଅର୍ଥ ଦ୍ଵାରା ଈଶ୍ଵର ଗୌରବାନ୍ମିତ ହେବେ କି? ବାସ୍ତବରେ ନୁହେଁ । ସେହିପରି ଧନୀ ହେବା ପ୍ରଲୋଭନରେ ଗରିବମାନଙ୍କଠାରୁ “ଚୋରି” ହୋଇ ଆସୁଥିବା ଧନ ଈଶ୍ଵର ଚାହାଁନ୍ତି ନାହିଁ ।

ପ୍ରଥମ ତିମଥି ୬:୧୦ ଆମ୍ଭମାନଙ୍କୁ କୁହେ “କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ । କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି ଏବଂ ବହୁ କଷ୍ଟରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି ।” ଏବ୍ରୀ ୧୩:୫ରେ ଲେଖାଯାଏ “ଆଚାର ବ୍ୟବହାରରେ ଧନଲୋଭଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହାକିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, ଆମ୍ଭେ ତୁମ୍ଭକୁ କେବେହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ପରିତ୍ୟାଗ କରିବା ନାହିଁ ।” ମାଥିଉ ୬:୨୪ କୁହେ “କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣଙ୍କୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ଵର ଓ ଧନ, ଉଭୟର ଦାସ ହୋଇପାର ନାହିଁ ।”

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

ଜୁଆଖେଳ କ’ଣ ପାପ ନୁହେଁ? ଜୁଆଖେଳ ବିଷୟରେ ବାଇବଲ କ’ଣ କୁହେ?
© Copyright Got Questions Ministries