ପ୍ରଶ୍ନ
କୌଣସି ଏକ ବିଷୟ ପାପ ବୋଲି ମୁଁ କିପରି ଜାଣିପାରିବି?
ଉତ୍ତର
ଏହି ପ୍ରଶ୍ନରେ ଦୁଇଗୋଟି ବିଷୟ ଜଡିତ ଅଛି - ଗୋଟିଏ ବିଷୟ ହେଉଛି ବାଇବଲ ନିର୍ଦ୍ଧିଷ୍ଟ ଭାବେ ପାପ ବୋଲି ଉଲ୍ଲେଖ କରୁଥିବା କିମ୍ବା ଘୋଷଣା କରୁଥିବା ବିଷୟ ଏବଂ ଆରଟି ହେଉଛି ଯେଉଁଗୁଡିକୁ ବାଇବଲ ପାପ ବୋଲି ସିଧାସଳଖ ଉଲ୍ଲେଖ କରେନାହିଁ । ପାପର ଶାସ୍ତ୍ରଗତ ବିଭିନ୍ନ ତାଲିକା ମଧ୍ୟରେ ହିତୋପଦେଶ ୬:୬-୧୯; ଗାଲାତୀୟ ୫:୧୯-୨୧ ଏବଂ ୧କରିନ୍ଥୀୟ ୬:୯-୧୦ ଅନ୍ତର୍ଭୁକ୍ତ ଅଟେ । ବିନା ସନ୍ଦେହରେ କୁହାଯାଇପାରିବ ଯେ, ଏହି ସମସ୍ତ୍ର ଶାସ୍ତ୍ରାଂଶ ପାପପୂର୍ଣ୍ଣ କାର୍ଯ୍ୟସକଳ ଏବଂ ଈଶ୍ବର ଅନୁମୋଦନ କରୁନଥିବା ବିଷୟଗୁଡିକୁ ଉପସ୍ଥାପିତ କରେ । ନରହତ୍ୟା, ବ୍ୟଭିଚାର, ମିଥ୍ୟା କହିବା, ଚୋରି କରିବା ଇତ୍ୟାଦି - ଏହି ସମସ୍ତ ବିଷୟ ଯେ ପାପ ତାହା ବାଇବଲ ବିନା ଦ୍ବିଧାରେ ପ୍ରକାଶ କରେ । ଅଧିକ କଷ୍ଟକର ବିଷୟ ହେଉଛି, ବାଇବଲ ଯେଉଁ ବିଷୟଗୁଡିକୁ ପାପ ବୋଲି ସିଧାସଳଖ ଉଲ୍ଲେଖ କରେନାହିଁ ସେଗୁଡିକୁ ପାପ କିମ୍ବା ପାପ ନୁହେଁ ବୋଲି ନିର୍ଦ୍ଧାରଣ କରିବା । ଯେତେବେଳେ ବାଇବଲ ଏକ ନିର୍ଦ୍ଧିଷ୍ଟ ବିଷୟକୁ ପରିସରଭୁକ୍ତ କରେନାହିଁ, ସେତେବେଳେ ଆମ୍ଭେମାନଙ୍କୁ ପଥପ୍ରଦର୍ଶନ କରିବା ନିମନ୍ତେ ଆମ୍ଭେମାନେ ତାଙ୍କ ବାକ୍ୟରେ କିଛି ସାଧାରଣ ନୀତିନିୟମକୁ ଅନୁସରଣ କରିବାକୁ ପଡିବ ।
ପ୍ରଥମତଃ, ଯେତେବେଳେ କୌଣସି ଶାସ୍ତ୍ରୀୟ ସମ୍ବନ୍ଧ ଉଲ୍ଲେଖ ଦେଖିବାକୁ ମିଳେନାହିଁ, ସେତେବେଳେ ସେହି ନିର୍ଦ୍ଧିଷ୍ଟ ବିଷୟ ଯେ ଭୁଲ୍ ତାହା ନ ପଚାରି ବରଂ ଏହା ନିଶ୍ଚିତଭାବେ ଠିକ୍ ଅଟେ କି ତାହା ପଚାରିବା ଉତ୍ତମ ହେବ । ଉଦାହରଣ ସ୍ବରୂପ, ବାଇବଲ କୁହେ ଯେ, ଆମେ "ସୁଯୋଗର ସଦବ୍ୟବହାର" କରିବା ଉଚିତ୍ (କଲସୀୟ ୪:୫) । ଅନନ୍ତକାଳ ତୁଳନାରେ ଆମେ ପୃଥିବୀରେ ବାସ କରୁଥିବା ସମୟ ଏତେ ସ୍ବଳ୍ପ ଯେ, ଆମେ ସ୍ବାର୍ଥପର ବିଷୟଗୁଡିକରେ ଆମ୍ଭମାନଙ୍କର ସମୟ ନଷ୍ଟ କରିବା ଉଚିତ୍ ନୁହେଁ, କିନ୍ତୁ ଆମେ ସମୟକୁ "ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି... କିଛି ଥାଇପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ... (ଏଫିସୀୟ ୪:୨୮) କରିବା ଉଚିତ୍ ।
ଏକ ଉତ୍ତମ ପରୀକ୍ଷା ହେଉଛି ଆମେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟକୁ ଈଶ୍ବରଙ୍କ ନିଜ ଉଦ୍ଦେଶ୍ୟ ନିମନ୍ତେ ଆଶୀର୍ବାଦ କରି ବ୍ୟବହାର କରିବାକୁ ସଚ୍ଚୋଟଭାବେ, ଉତ୍ତମ ବିବେକ ସହ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବ । "ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ବରଙ୍କ ଗୌରବ ନିମନ୍ତେ ସବୁ କର" (୧କରିନ୍ଥୀୟ ୧୦:୩୧) । ଯେତେବେଳେ ଏହି ନିର୍ଦ୍ଧିଷ୍ଟ କାର୍ଯ୍ୟ ଈଶ୍ବରଙ୍କ ସନ୍ତୋଷଜନକ କି ନୁହେଁ ସେ ବିଷୟରେ କିଛି ସନ୍ଦେହ ଆସିଯାଏ, ସେତେବେଳେ ଏହି କାର୍ଯ୍ୟ ନ କରି ପରିତ୍ୟାଗ କରିବା ଉଚିତ୍ । "ଆଉ ଯାହାକିଛି ବିଶ୍ବାସରୁ ହୁଏନାହିଁ ତାହା ପାପ" (ରୋମୀୟ ୧୪:୨୩) । ଆମେ ସ୍ମରଣରେ ରଖିବା ଉଚିତ୍ ଯେ, ଆମ୍ଭମାନଙ୍କ ଶରୀର, ସେହିପରି ଆମ୍ଭମାନଙ୍କ ପ୍ରାଣ ମୁକ୍ତିପ୍ରାପ୍ତ ହୋଇଛି ଏବଂ ଏହା ଈଶ୍ବରଙ୍କର ଅଟେ । "ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହ୍ଁ; କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର" (୧କରିନ୍ଥୀୟ ୬:୧୯-୨୦) । ଆମେ କ'ଣ କରୁଛୁ ଏବଂ ଆମେ କେଉଁଠିକୁ ଯାଉଛୁ ସେ ସବୁ ବିଷୟରେ ଏହି ମହାନ୍ ସତ୍ୟତା ସ୍ମରଣରେ ରଖିବାକୁ ହେବ ।
ଏତତ୍ ବ୍ୟତୀତ, ଆମ୍ଭେମାନେ ଆମ୍ଭମାନଙ୍କର କାର୍ଯ୍ୟସବୁକୁ କେବଳ ଈଶ୍ବରଙ୍କ ସମ୍ବନ୍ଧରେ ମୂଲ୍ୟାଙ୍କନ ନ କରି ଆମ ପରିବାର, ବନ୍ଧୁ ଏବଂ ସାଧାରଣରେ ଥିବା ଅନ୍ୟ ଲୋକମାନଙ୍କ ଉପରେ ସେଗୁଡିକର ଫଳାଫଳ କ'ଣ ସେ ବିଷୟରେ ମଧ୍ୟ ଦେଖିବାକୁ ପଡିବ । ଏପରିକି ଯଦି ଏକ ନିର୍ଦ୍ଧିଷ୍ଟ ବିଷୟ ଆମ୍ଭମାନଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେଇନଥାଏ, କିନ୍ତୁ ଯଦି ଏହା କ୍ଷତିକାରକଭାବେ ଅନ୍ୟ କାହାକୁ ପ୍ରଭାବିତ କରେ ବା କ୍ଷତିଗ୍ରସ୍ତ କରାଏ, ତାହା ମଧ୍ୟ ଏକ ପାପ ଅଟେ । "ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ । ବିଶ୍ବାସରେ ବଳବାନ୍ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ୍, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ " (ରୋମୀୟ ୧୪:୨୧; ୧୫:୧) ।
ପରିଶେଷରେ, ସ୍ମରଣରେ ରଖନ୍ତୁ ଯେ, ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା, ଏବଂ ତାଙ୍କ ଇଛାର ଆମର ଅନୁରୂପ ହେବା ଉପରେ ଆଉ କୌଣସି ବିଷୟ ଅଗ୍ରାଧିକାର ହେବାର ଅନୁମତିପ୍ରାପ୍ତ ହୋଇପାରିବନାହିଁ । କୌଣସି ଅଭ୍ୟାସ କିମ୍ବା ଆମୋଦପ୍ରମୋଦ କିମ୍ବା ଅଭିଳାଷ ଆମ ଜୀବନକୁ ଅହେତୁକ ନିୟନ୍ତ୍ରଣ କରିବା ଉଚିତ୍ ନୁହେଁ; କେବଳ ଖ୍ରୀଷ୍ଟଙ୍କର ସେହି ଅଧିକାର ଅଛି । "ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ବାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ବାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବିନାହିଁ " (୧କରିନ୍ଥୀୟ ୬:୧୨) । "ଆଉ ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ବାରା ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ" (କଲସୀୟ ୩:୧୭) ।
English
କୌଣସି ଏକ ବିଷୟ ପାପ ବୋଲି ମୁଁ କିପରି ଜାଣିପାରିବି?