ପ୍ରଶ୍ନ
ଯୀଶୁ ଆମ୍ଭମାନଙ୍କ ପାପ ଯୋଗୁଁ ମୃତ୍ୟୁଭୋଗ କରିବା ପୂର୍ବରୁ ଲୋକମାନେ କିପରି ଉଦ୍ଧାରପ୍ରାପ୍ତ ହେଉଥିଲେ?
ଉତ୍ତର
ମନୁଷ୍ୟର ପତନଠାରୁ, ଖ୍ରୀଷ୍ଟଙ୍କ ମୃତ୍ୟୁ ହିଁ ପରିତ୍ରାଣର ଆଧାର ଅଟେ । କୌଣସି ବ୍ୟକ୍ତି କ୍ରୁଶ ପୂର୍ବରୁ ବା କ୍ରୁଶ ପରେ ପୃଥିବୀର ଇତିହାସର ସେହି ମୁଖ୍ୟ ଘଟଣା ବିନା ଉଦ୍ଧାର ପାଇନାହାନ୍ତି । ଖ୍ରୀଷ୍ଟଙ୍କ ମୃତ୍ୟୁ ପୁରାତନ ନିୟମରେ ଥିବା ସାଧୁମାନଙ୍କ ପୂର୍ବ ପାପଗୁଡିକର ଓ ନୂତନ ନିୟମରେ ଥିବା ସାଧୁମାନଙ୍କର ଭବିଷ୍ୟତ ପାପର ପାଉଣାକୁ ପରିଶୋଧ କଲା ।
ପରିତ୍ରାଣ ନିମନ୍ତେ ବିଶ୍ଵାସର ହିଁ ଆବଶ୍ୟକତା ସର୍ବଦା ରହି ଆସିଅଛି । ଜଣେ ବ୍ୟକ୍ତିଙ୍କ ପରିତ୍ରାଣ ପାଇଁ ଈଶ୍ଵରଙ୍କୁ ବିଶ୍ଵାସ ହିଁ ମୁଖ୍ୟ ବିଷୟ ଅଟେ । ଗୀତରଚକ ଲେଖିଲେ “ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ“ (ଗୀତ ୨:୧୨) । ଆଦି ୧୫:୬ ଆମ୍ଭମାନଙ୍କୁ କୁହେ ଯେ ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ତାହା ତାହାଙ୍କୁ ଧାର୍ମିକଗଣନା କରିବା ନିମନ୍ତେ ଯଥେଷ୍ଟ ଥିଲା (ରୋମୀୟ ୪:୩-୮ କୁ ମଧ୍ୟ ଦେଖନ୍ତୁ) । ଏବ୍ରୀ ୧୦:୧-୧୦ ଯେପରି ଶିକ୍ଷା ଦେଇଥାଏ, ସେହି ଶିକ୍ଷା ଅନୁଯାୟୀ ପୁରାତନ ନିୟମରେ ଥିବା ବଳିଦାନ ପ୍ରଥା ପାପକୁ ନେଇଯାଏ ନାହିଁ, ଅଥଚ, ଏହା ସେହି ଦିନକୁ ଦେଖାଇଥାଏ ଯେଉଁଦିନ ଈଶ୍ଵରଙ୍କ ପୁତ୍ର ପାପପୂର୍ଣ୍ଣ ମାନବଜାତି ନିମନ୍ତେ ତାହାଙ୍କ ରକ୍ତ ବୁହାଇବେ ।
ଯୁଗ ଯୁଗ ଧରି ଯେଉଁ ବିଷୟ ପରିବର୍ତ୍ତିତ ହୋଇଛି, ତାହା ହେଉଛି ଜଣେ ବିଶ୍ଵାସୀଙ୍କ ବିଶ୍ଵାସର ବିଷୟବସ୍ତୁ । କେଉଁ ବିଷୟକୁ ନିହାତି ବିଶ୍ଵାସ କରାଯିବ ତାହା ସେହି ସମୟ ପର୍ଜନ୍ତ ମାନବ ଜାତିଙ୍କୁ ଦିଆଯାଇଥିବା ପ୍ରକାଶନ ଉପରେ ଆଧାରିତ ଅଟେ । ଆଦି ୩:୧୫ ରେ ଥିବା ପ୍ରତିଜ୍ଞାକୁ ଆଦମ ବିଶ୍ଵାସ କଲେ ଯେ ନାରୀଙ୍କ ଗର୍ଭରୁ ଜନ୍ମ ସନ୍ତାନ ଶୟତାନକୁ ଜୟଯୁକ୍ତ କରିବେ । ହବାଙ୍କୁ ସେ ଯେଉଁ ନାମ ଦେଲେ ତତଦ୍ୱାରା ଈଶ୍ଵରଙ୍କ ଠାରେ ତାଙ୍କ ବିଶ୍ଵାସକୁ ପ୍ରକାଶ କଲେ (୨୦ପଦ) ଏବଂ ଈଶ୍ଵର ଯେ ତାହାଙ୍କୁ ଗ୍ରହଣ କାଲେ ତାହା ସେ ସେମାନଙ୍କୁ ଚମଡ଼। ବସ୍ତ୍ର ପରିଧାନ କରିବା ଦ୍ଵାରା ଦର୍ଶାଇଲେ (୨୧ ପଦ) । ସେହି ସମୟରେ ଆଦମ କେବଳ ସେତିକି ଜାଣିଥିଲେ, କିନ୍ତୁ ସେ ତାହା ବିଶ୍ଵାସ କଲେ ।
ଆଦି ୧୨ ଓ ୧୫ ରେ ଈଶ୍ଵର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ ଓ ଯେପରି ନିଜକୁ ପ୍ରକାଶ କଲେ ସେଥିରେ ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ । ମୋଶାଙ୍କ ପୂର୍ବରୁ କୌଣସି ଶାସ୍ତ୍ରର ଲେଖାଯାଇନଥିଲା, କିନ୍ତୁ ଈଶ୍ଵର ଯାହା ପ୍ରକାଶ କରିଥିଲେ ସେଥିପ୍ରତି ମନୁଷ୍ୟର ଦାୟିତ୍ଵ ରହିଥିଲା । ପୁରାତନ ନିୟମ ସାରା, ବିଶ୍ଵାସୀମାନେ ପରିତ୍ରାଣ ପାଇଲେ କାରଣ ସେମାନେ ବିଶ୍ଵାସ କରିଥିଲେ ଯେ ଈଶ୍ଵର ଦିନେ ସେମାନଙ୍କ ପାପର ସମସ୍ୟାକୁ ସମାଧାନ କରିବେ । ଆଜି, ଆମେ ପଛକୁ ଚାହିଁ ଦେଖିଲେ ଆମେ ବିଶ୍ଵାସ କରୁ ଯେ ସେ ଆମ୍ଭମାନଙ୍କ ପାପକୁ କ୍ରୁଶରେ ନେଇସାରିଛନ୍ତି (ଯୋହନ ୩:୧୬ ; ଏବ୍ରୀ ୯:୨୮)
ଖ୍ରୀଷ୍ଟଙ୍କ ସମୟରେ ଥିବା ବିଶ୍ଵାସୀ, କ୍ରୁଶ ଓ ପୁନରୁତ୍ଥାନ ପୂର୍ବରୁ ଥିବା ବିଶ୍ଵାସୀମାନଙ୍କ ବିଷୟରେ କ’ଣ କୁହାଯିବ? ସେମାନେ କଅଣ ବିଶ୍ଵାସ କରୁଥିଲେ? ସେମାନଙ୍କ ପାପ ନିମନ୍ତେ ଖ୍ରୀଷ୍ଟଙ୍କ ମୃତ୍ୟୁ ଭୋଗର ସଂପୂର୍ଣ୍ଣ ଛବିକୁ ବୁଝିପାରିଥିଲେକି? ଯୀଶୁଙ୍କ ସେବାକାର୍ଯ୍ୟର ଶେଷ ଭାଗ ଆଡକୁ, “ସେହି ସମୟଠାରୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୁଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ । ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ଵର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ“ (ମାଥିଉ ୧୬:୨୧-୨୨) । ଏହି ସମ୍ବାଦ ବା ବାର୍ତ୍ତା ଶୁଣି ଶିଷ୍ୟମାନେ କିପରି ପ୍ରତିକ୍ରିୟା ରଖିଥିଲେ? “ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ ‘ହେ ପ୍ରଭୁ, ଈଶ୍ଵର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ’“ ପିତର ଓ ଅନ୍ୟ ଶିଷ୍ୟମାନେ ପୂର୍ଣ୍ଣ ସତ୍ୟତାକୁ ଜାଣିପାରିନଥିଲେ, ତଥାପି ସେମାନେ ଉଦ୍ଧାର ପାଇଥିଲେ କାରଣ ସେମାନେ ବିଶ୍ଵାସ କରିଥିଲେ ଯେ ଈଶ୍ଵର ସେମାନଙ୍କ ପାପ ସମସ୍ୟାର ସମାଧାନ କରିବେ । ଈଶ୍ଵର କିପରି ଭାବରେ କରିବେ ତାହା ସେମାନେ ଅବିକଳ ଜାଣିନଥିଲେ; ଆଦମ, ଅବ୍ରହାମ, ମୋଶା ଓ ଦାଉଦ ଯେପରି ଭାବରେ ଏହା ଜାଣିଥିଲେ ସେମାନେ ସେପରି ଏହାକୁ ଜାଣିପାରିନଥିଲେ, କିନ୍ତୁ ସେମାନେ ଈଶ୍ଵରଙ୍କଠାରେ ବିଶ୍ଵାସ କରିଥିଲେ ।
ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପୂର୍ବରୁ ଥିବା ଲୋକମାନେ ଯେପରି ଈଶ୍ଵରଙ୍କ ପ୍ରକାଶନ ପାଇଥିଲେ ତାହା ଅପେକ୍ଷା ଆମେ ଅଧିକ ପ୍ରକାଶନ ପାଇଛୁ; ଆମେ ସମ୍ପୂର୍ଣ୍ଣ ଛବି ପାଇଛୁ । “ଈଶ୍ଵର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ବାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷକାଳରେ ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ କଥା କହିଅଛନ୍ତି । ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାର କରି ନିଯୁକ୍ତ କଲେ । ତାହାଙ୍କ ଦ୍ବାରା ମଧ୍ୟ ସମସ୍ତ ବିଷୟ ସୃଷ୍ଟ କଲେ“ (ଏବ୍ରୀ ୧:୧-୨) । ଆମ୍ଭମାନଙ୍କର ପରିତ୍ରାଣ ଏବେ ସୁଦ୍ଧା ଖ୍ରୀଷ୍ଟଙ୍କ ମୃତ୍ୟୁ ଉପରେ ଆଧାରିତ ଅଟେ, ପରିତ୍ରାଣ ପାଇବା ପାଇଁ ଆମେ ଏବେ ସୁଦ୍ଧା ବିଶ୍ଵାସ କରିବାର ଆବଶ୍ୟକତା ରହିଛି, ଏବଂ ଈଶ୍ଵର ଏବେ ସୁଦ୍ଧା ଆମ ବିଶ୍ଵାସର ବିଷୟ ଅଟନ୍ତି । ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ପାଇଁ ମଲେ, ସେ ସମାଧିପ୍ରାପ୍ତ ହେଲେ, ଏବଂ ସେ ତୃତୀୟ ଦିନରେ ଉଠିଲେ (୧କରିନ୍ଥୀୟ ୧୫:୩-୪) ଏହି ବିଷୟ ଆମ୍ଭମାନଙ୍କ ନିମନ୍ତେ ଆଜି ବିଶ୍ଵାସର ବିଷୟବସ୍ତୁ ଅଟେ ।
English
ଯୀଶୁ ଆମ୍ଭମାନଙ୍କ ପାପ ଯୋଗୁଁ ମୃତ୍ୟୁଭୋଗ କରିବା ପୂର୍ବରୁ ଲୋକମାନେ କିପରି ଉଦ୍ଧାରପ୍ରାପ୍ତ ହେଉଥିଲେ?