settings icon
share icon
ପ୍ରଶ୍ନ

କ୍ଲେଶର ସମୟ କ'ଣ? କ୍ଲେଶର ସମୟ ସାତ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଆମେ କିପରି ଜାଣୁ?

ଉତ୍ତର


କ୍ଲେଶର ସମୟ ହେଉଛି ଭବିଷ୍ୟତ୍ ସାତ ବର୍ଷ ସମୟ ଅବଧି ଯେତେବେଳେ ଈଶ୍ବର ଇଶ୍ରାୟେଲର ଶୃଙ୍ଖଳକୁ ଶେଷ କରିବେ ଏବଂ ଅବିଶ୍ବାସୀ ଜଗତ ପ୍ରତି ଥିବା ତାଙ୍କ ବିଚାର ନିମନ୍ତେ ଶେଷ ସମୟ ନେବେ । ପ୍ରଭୁ ଯୀଶୁଙ୍କଠାରେ ଏବଂ ତାଙ୍କ କାର୍ଯ୍ୟରେ ଭରସା ରଖିଥିବା ଲୋକମାନଙ୍କୁ ନେଇ ଗଠିତ ମଣ୍ଡଳୀକୁ ପାପ ଯୋଗୁଁ ଦଣ୍ଡପ୍ରାପ୍ତ ନ ପାଇବା ନିମନ୍ତେ ମହାକ୍ଲେଶ ସମୟରେ ଉପସ୍ଥିତ ରହିବେ ନାହିଁ । ରାପଚର୍ ଭାବେ ଜଣା ଏକ ଘଟନାରେ ଏହି ପୃଥିବୀରୁ ମଣ୍ଡଳୀକୁ କାଢି ନିଆଯିବ (୧ଥେସଲନିକୀୟ ୪:୧୩-୧୮; ୧କରିନ୍ଥୀୟ ୧୫:୫୧-୫୩) । ଆଗାମୀ କ୍ରୋଧରୁ ମଣ୍ଡଳୀ ରକ୍ଷା ପାଇଛି (୧ଥେସଲନିକୀୟ ୫:୯) । ସମଗ୍ର ଶାସ୍ତ୍ରରେ, କ୍ଲେଶର ସମୟକୁ ଅନ୍ୟ ନାମ ଦ୍ବାରା ଉଲ୍ଲେଖ କରାଯାଇଛି ଯେପରିକି ପ୍ରଭୁଙ୍କ ଦିନ (ଯିଶାଇୟ ୨:୧୨; ୧୩:୬-୯; ଯୋୟେଲ୍ ୧:୧୫; ୨:୧-୩୧; ୩:୧୪; ୧ଥେସଲନିକୀୟ ୫:୨); ସଙ୍କଟ ବା କ୍ଲେଶ (ଦ୍ବିତୀୟ ବିବରଣ ୪:୩୦; ସିଫନିୟ ୧:୧୫); ମହାକ୍ଲେଶ, ଯାହା ସାତ ବର୍ଷ ଅବଧି ଅର୍ଦ୍ଧେକର ଦ୍ବିତୀୟ ଭାଗ (ମାଥିଉ ୨୪:୨୧); ସଙ୍କଟର କାଳ (ଦାନିୟେଲ ୧୨:୧; ସିଫନିୟ ୧:୧୫); ଯାକୁବଙ୍କ ସଙ୍କଟ କାଳ (ଯିରିମିୟ ୩୦:୭) ଭାବେ ଉଲ୍ଲେଖ କରାଯାଇଛି ।

କ୍ଲେଶର ଉଦ୍ଦେଶ୍ୟ ଏବଂ ସମୟ ଜାଣିବା ନିମନ୍ତେ ଦାନିୟେଲ ୯:୨୪-୨୭ ବୁଝିବା ନିହାତି ଆବଶ୍ୟକ । ଏହି ଶାସ୍ତ୍ରାଂଶ ୭୦ ସପ୍ତାହ ବିଷୟରେ କୁହେ ଯାହା "ତୁମ୍ଭ ଲୋକ"ମାନଙ୍କ ବିରୁଦ୍ଧରେ ଘୋଷଣା କରାଯାଇଛି । ଦାନିୟେଲଙ୍କ ଲୋକମାନେ ଯିହୂଦୀ ଥିଲେ, ଯାହାକି ଇଶ୍ରାୟେଲ ଦେଶ ଏବଂ ୯:୨୪ ଏପରି ଏକ ସମୟ ବିଷୟ ଅବଧି ବିଷୟରେ କୁହେ ଯାହା ଈଶ୍ବର "ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ଆଉ ଦର୍ଶନ ଓ ଭବିଷ୍ୟତ୍ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ" ଦେଇଛନ୍ତି । ଈଶ୍ବର ଘୋଷଣା କରନ୍ତି ଯେ, "ସତ୍ତୁରୀ ସପ୍ତାହ" ଏହି ସମସ୍ତ ବିଷୟ ସଫଳ କରିବ । ଏହା ୭୦ ଗୋଟି ସାତ ବର୍ଷ, ବା ୪୯୦ ବର୍ଷ ଅଟେ । (କେତେକ ଅନୁବାଦ ୭୦ ସପ୍ତାହର ବର୍ଷ ଭାବେ ଉଲ୍ଲେଖ କରନ୍ତି ।) ଏହା ଦାନିୟେଲରେ ଥିବା ଅନ୍ୟ ଏକ ଅଂଶରେ ନିଶ୍ଚିତ କରାଯାଇଛି । ୨୫ ପଦ ଓ ୨୬ ପଦରେ, ଦାନିୟେଲଙ୍କୁ କୁହାଯାଇଛି ଯେ, ଯିରୁଶାଲମ ପୁନଃନିର୍ମାଣ କରିବା ନିମନ୍ତେ ଅଧ୍ୟାଦେଶରୁ ଆରମ୍ଭ କରି "ସାତଗୋଟି ସାତ ଏବଂ ବାଷଠି ଟି ସାତ୍" (ମୋଟ ୬୯) ପରେ ମଶୀହ ଉଚ୍ଛିନ୍ନ ହେବେ । ଅନ୍ୟ ଭାଷାରେ କହିବାକୁ ଗଲେ, ଯିରୁଶାଲମ ନିର୍ମାଣ କରିବା ନିମନ୍ତେ ଅଧ୍ୟାଦେଶ ଜାରି ହେବାର ୬୯ଟି ସାତ ବର୍ଷ (୪୮୩ ବର୍ଷ) ପରେ ମଶୀହ ଉଚ୍ଛିନ୍ନ ହେବେ । ବାଇବଲ ଐତିହାସିକମାନେ ନିଶ୍ଚିତ କରନ୍ତି ଯେ, ଯିରୁଶାଲମ ପୁନଃନିର୍ମାଣର ଅଧ୍ୟାଦେଶ ଜାରିଠାରୁ ଯୀଶୁ କ୍ରୁଶବିଦ୍ଧ ହେବା ପର୍ଯ୍ୟନ୍ତ ୪୮୩ ବର୍ଷ ଗତ ହୋଇଛି । ଭବିଷ୍ୟତ୍ ଘଟନା ମତବାଦ (eschatology) (ଭବିଷ୍ୟତ୍ ବିଷୟଗୁଡିକ/ଘଟନାଗୁଡିକ) ନ ବିଚାରି ଅଧିକାଂଶ ଖ୍ରୀଷ୍ଟିୟାନ ପଣ୍ଡିତ ଦାନିୟେଲଙ୍କ ୭୦ ସପ୍ତାହ ବିଷୟକ ଉପରେ ଲିଖିତ ବିଷୟକୁ ହିଁ ବୁଝନ୍ତି ।

ଯିରୁଶାଲମ ପୁନଃନିର୍ମାଣ ହେବା ନିମନ୍ତେ ଅଧ୍ୟାଦେଶ ଜାରି ହେବାଠାରୁ ୪୮୩ ବର୍ଷ ଗତ ହୋଇ ମଶୀହଙ୍କ ଉଚ୍ଛିନ୍ନ ପର୍ଯ୍ୟନ୍ତ ଏହା ଦାନିୟେଲ ୯:୨୪ ଅନୁସାରେ ଏକ ସାତ-ବର୍ଷ ସମୟ ଅବଧି ଛାଡି ଯାଉଛି: " ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ଆଉ ଦର୍ଶନ ଓ ଭବିଷ୍ୟତ୍ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ” । ଏହି ଶେଷ ସାତ ବର୍ଷ ଅବଧି ସମୟ କ୍ଲେଶର ସମୟ ଭାବରେ ଜଣା- ଏହା ହେଉଛି ସେହି ସମୟ ଯେତେବେଳେ ଈଶ୍ବର ଇଶ୍ରାୟେଲକୁ ଏହାର ପାପ ଯୋଗୁଁ ଏହାକୁ ବିଚାର କରିବାର ଶେଷ କରନ୍ତି ।

ଦାନିୟେଲ ୯:୨୭ ଏହି ସାତବର୍ଷ କ୍ଲେଶ ଅବଧିର ଅଳ୍ପ କିଛି ଦୃଷ୍ଟିଗୋଚରକୁ ଆଣିଥାଏ: "ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ ।" ଏହି ପଦ ଯେଉଁ ବ୍ୟକ୍ତି ବିଷୟରେ କୁହେ ଯୀଶୁ ତାହାକୁ "ଉଚ୍ଛନ୍ନକାରୀ ଘୃଣ୍ୟ ବସ୍ତୁ" ବୋଲି କୁହନ୍ତି (ମାଥିଉ ୨୪:୧୫) ଏବଂ ପ୍ରକାଶିତ ୧୩ ଏହାକୁ "ପଶୁ" ବୋଲି କୁହାଯାଏ । ଦାନିୟେଲ ୯:୨୭ କୁହେ ଯେ ସେହି ପଶୁଟି ସାତ ବର୍ଷ ନିମନ୍ତେ ଏକ ଚୁକ୍ତି କରିବ, କିନ୍ତୁ ଏହି ସମୟ ଅବଧିର ମଧ୍ୟ ଭାଗରେ (କ୍ଲେଶର ୩ ୧/୨ ବର୍ଷରେ) ସେ ବଳିଦାନ ବନ୍ଦ କରି ଚୁକ୍ତି ଭଗ୍ନ କରିବ । ପ୍ରକାଶିତ ୧୩ ଅଧ୍ୟାୟ ବ୍ୟାଖ୍ୟା କରେ ଯେ, ପଶୁଟି ନିଜର ଏକ ପ୍ରତିମୂର୍ତ୍ତିକୁ ମନ୍ଦିରରେ ସ୍ଥାପନ କରି ଜଗତ ତାଙ୍କୁ ପୂଜା କରୁ ବୋଲି ଚାହିଁବ । ପ୍ରକାଶିତ ୧୩:୫ କୁହେ ଯେ, ଏହା ୪୨ ମାସ ପର୍ଯ୍ୟନ୍ତ ଚାଲିବ, ଯାହାକି ୩ ୧/୨ ବର୍ଷ । ଯେହେତୁ ଦାନିୟେଲ ୯:୨୭ କୁହେ ଯେ, ଏହା ସପ୍ତାହର ମଧ୍ୟ ଭାଗରେ ଘଟିବ, ଏବଂ ପ୍ରକାଶିତ ୧୩:୫ କୁହେ ଯେ ପଶୁଟି ଏହା ୪୨ ମାସ ପର୍ଯ୍ୟନ୍ତ କରିବ, ସହଜରେ ଦେଖିବାକୁ ମିଳେ ଯେ, ଏହାର ମୋଟ ସମୟ ହେଉଛି ୮୪ ମାସ ବା ସାତ ବର୍ଷ । ପୁଣି ଦାନିୟେଲ ୭:୨୫ ଦେଖନ୍ତୁ, ଯେଉଁଠି "ଏକ କାଳ, ଦୁଇ କାଳ ଏବଂ ଅର୍ଦ୍ଧ କାଳ" (ଏକ କାଳ = ୧ ବର୍ଷ; ଦୁଇ କାଳ = ୨ ବର୍ଷ; ଅର୍ଦ୍ଧ କାଳ = ୧/୨ ବର୍ଷ; ମୋଟ ୩ ୧/୨ ବର୍ଷ) ମଧ୍ୟ "ମହାକ୍ଲେଶ"କୁ ସୂଚାଏ, ଯାହା ସାତ ବର୍ଷ କ୍ଲେଶର ଦ୍ବିତୀୟାର୍ଦ୍ଧ ଯେତେବେଳେ କି ପଶୁ କ୍ଷମତାରେ ରହିବ ।

କ୍ଲେଶ ବିଷୟରେ ଅଧିକ ଶାସ୍ତ୍ର ଉଲ୍ଲେଖ ଜାଣିବା ନିମନ୍ତେ ପ୍ରକାଶିତ ୧୧:୨-୩ ଦେଖନ୍ତୁ, ଯାହା ୧୨୬୦ ଦିନ ଏବଂ ୪୨ ମାସ ବିଷୟରେ କହିଥାଏ, ଏବଂ ଦେଖନ୍ତୁ ଦାନିୟେଲ ୧୨:୧୧-୧୨ ଯାହା ୧୨୯୦ ଦିନ ଏବଂ ୧୩୩୫ ଦିନ ବିଷୟରେ କହିଥାଏ । ଏହି ସମସ୍ତ ଦିନ କ୍ଲେଶର ମଧ୍ୟଭାଗ ବିଷୟରେ ଉଲ୍ଲେଖ କରେ । ଦାନିୟେଲ ୧୨ରେ ଥିବା ଅତିରିକ୍ତ ଦିନଗୁଡିକ ଜାତିଗଣ ବା ଦେଶଗଣର ବିଚାର ନିମନ୍ତେ ଥିବା ଶେଷ ସମୟକୁ (ମାଥିଉ ୨୫:୩୧-୪୬) ଏବଂ ଖ୍ରୀଷ୍ଟଙ୍କ ଶାନ୍ତିରାଜ୍ୟ ବା ସହସ୍ର ବର୍ଷ ରାଜତ୍ବ ପ୍ରତିଷ୍ଠା ନିମନ୍ତେ ଥିବା ସମୟ (ପ୍ରକାଶିତ ୨୦:୪-୬)କୁ ଅନ୍ତର୍ଭୁକ୍ତ କରିଥାଇପାରେ ।

English



ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ

କ୍ଲେଶର ସମୟ କ'ଣ? କ୍ଲେଶର ସମୟ ସାତ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଆମେ କିପରି ଜାଣୁ?
© Copyright Got Questions Ministries