ପ୍ରଶ୍ନ
ଯଦି ମୁଁ ଉଦ୍ଧାରପ୍ରାପ୍ତ ହୋଇଛି ଏବଂ ମୋର ସମସ୍ତ ପାପ କ୍ଷମା ହୋଇଛି, କାହିଁକି ପାପରେ ଲାଗି ରହିବା ନାହିଁ?
ଉତ୍ତର
ରୋମୀୟ ୬:୧-୨ରେ ପ୍ରେରିତ ପାଉଲ ସେହି ସମାନର ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି, "ତେବେ, ଆମ୍ଭେମାନେ କ'ଣ କହିବା? ଅନୁଗ୍ରହ ଯେପରି ପ୍ରଚୁର ନ ହୁଏ, ଏଥିପାଇଁ କି ପାପରେ ରହିଥିବା? ତାହା କେବେହେଁ ନ ହେଉ । ପାପ ପ୍ରତି ମୃତ ଯେ ଆମ୍ଭେମାନେ, ଆମ୍ଭେମାନେ ସେଥିରେ ଆଉ କିପରି ଜୀବନ କାଟିବା?" ଧାରଣାଟି ହେଉଛି ଜଣେ ବ୍ୟକ୍ତି ପରିତ୍ରାଣ ନିମନ୍ତେ "ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ" କରିପାରେ ଏବଂ ତା'ପରେ ସେ ପୂର୍ବରୁ ଯେପରି ଜୀବନଯାପନ କରୁଥିଲା, ସେହିପରି ଜୀବନଯାପନ କରିବାକୁ ଲାଗେ, ଏହି ବିଷୟଟି ବାଇବଲ ପ୍ରତି ସମ୍ପୂର୍ଣ୍ଣ ରୂପେ ଅଚିହ୍ନା ଅଟେ । ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସୀଗଣ ନୂତନ ସୃଷ୍ଟି ଅଟନ୍ତି (୨କରିନ୍ଥୀୟ ୫:୧୭) । ଶରୀରର କାର୍ଯ୍ୟଗୁଡିକ ଉତ୍ପନ୍ନ କରିବା ବିଷୟରୁ (ଗାଲାତୀୟ ୫:୧୯-୨୧) ଆତ୍ମାଙ୍କ ଫଳ (ଗାଲାତୀୟ ୫:୨୨-୨୩) ଉତ୍ପନ୍ନ କରିବାକୁ ପରିବର୍ତ୍ତନ କରନ୍ତି । ଖ୍ରୀଷ୍ଟିୟ ଜୀବନ ହେଉଛି ଏକ ପରିବର୍ତ୍ତିତ ଜୀବନ ଯେହେତୁ ଖ୍ରୀଷ୍ଟିୟାନ ପରିବର୍ତ୍ତିତ ଅଟେ ।
ଖ୍ରୀଷ୍ଟିୟ ମତବାଦକୁ ଅନ୍ୟ ସମସ୍ତ ଧର୍ମରୁ ଭିନ୍ନ କରୁଥିବା ବିଷୟଟି ହେଉଛି ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି ତହିଁ ଉପରେ ଆଧାରିତ ଯାହାକି ସ୍ବର୍ଗୀୟ ସମାପିତ କାର୍ଯ୍ୟ । ଜଗତର ଅନ୍ୟ ସମସ୍ତ ଧର୍ମ ଈଶ୍ବରଙ୍କ ଅନୁଗ୍ରହ ଏବଂ କ୍ଷମା ପାଇବା ନିମନ୍ତେ ଆମେ ନିହାତି କ'ଣ କରିବା ଉଚିତ୍ ତହିଁ ଉପରେ ଆଧାରିତ ଯାହାକି ମାନବୀୟ ଲକ୍ଷ୍ୟ ସାଧନ । ଅନ୍ୟ ସମସ୍ତ ଧର୍ମ ଶିକ୍ଷା ଦିଅନ୍ତି ଯେ, ଈଶ୍ବରଙ୍କ ପ୍ରେମ ଏବଂ କରୁଣା ପାଇବା ନିମନ୍ତେ ଆମେ କିଛି ନିର୍ଦ୍ଧିଷ୍ଟ ବିଷୟ କରିବାକୁ ପଡିବ ଏବଂ କିଛି ନିର୍ଦ୍ଧିଷ୍ଟ ବିଷୟଗୁଡିକୁ କରିବାର ବନ୍ଦ କରିବାକୁ ପଡିବ । ଖ୍ରୀଷ୍ଟିୟ ମତବାଦ, ଯାହା ଯୀଶୁଙ୍କଠାରେ ବିଶ୍ବାସ, ତାହା ଶିକ୍ଷା ଦିଏ ଯେ, ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଯାହା ସବୁ କରିଛନ୍ତି ସେଥିଯୋଗୁଁ ଆମେ କିଛି ନିର୍ଦ୍ଧିଷ୍ଟ ବିଷୟ କରିବାକୁ ପଡିବ ଏବଂ ଅନ୍ୟ କିଛି ବିଷୟ କରିବାର ବନ୍ଦ କରିବାକୁ ପଡିବ ।
ଜଣେ ବ୍ୟକ୍ତି ପାପର ଦଣ୍ଡରୁ ଉଦ୍ଧାର ପାଇ, ନରକରେ ଅନନ୍ତ କାଳ ରହିବାରୁ ଉଦ୍ଧାର ପାଇ, ପ୍ରଥମେ ସେ ନରକକୁ ଯାଇଥିବା ପଥରେ ଥିବା ଜୀବନ କାଟିବାକୁ ଯିବ? ଜଣେ ବ୍ୟକ୍ତି ପାପର କଳୁଷତାରୁ ପରିଷ୍କୃତ ହୋଇ, କିପରି ନୈତିକ ଅବନତିର କୁଣ୍ଡକୁ ଫେରିବାକୁ ଇଛା କରିବ? ଜଣେ ବ୍ୟକ୍ତି ଆମ ପ୍ରତିବଦଳରେ ଯୀଶୁଖ୍ରୀଷ୍ଟ କ'ଣ କରିଛନ୍ତି ତାହା ଜାଣି କିପରି ସେ ଅନ୍ୟ ଏକ ଜୀବନ କାଟିବାକୁ ଯିବ ଯେପରିକି ସେ କିଛି ଗୁରୁତ୍ବପୂର୍ଣ୍ଣ ନୁହେଁ? ଜଣେ ବ୍ୟକ୍ତି, ଆମ ପାପ ନିମନ୍ତେ ଖ୍ରୀଷ୍ଟ କେତେ ପରିମାଣରେ ଦୁଃଖକ୍ଲେଶ ଭୋଗ କଲେ ତାହା ହୃଦୟଙ୍ଗମ କରି କିପରି କିପରି ପାପ କରିଚାଲିଥିବ ଯେପରିକି ଏହି ଦୁଃଖକ୍ଲେଶ ଅର୍ଥଶୂନ୍ୟ ଥିଲା ?
ରୋମୀୟ ୬:୧୧-୧୫ ଘୋଷଣା କରେ, "ସେହି ପ୍ରକାରେ ମଧ୍ୟ ତୁମ୍ଭେମାନେ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର । ଅତଏବ, ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ବ ନ କରୁ, ତାହା କଲେ ତୁମ୍ଭେମାନେ ସେଥିର କୁଅଭିଳାଷଗୁଡାକର ବଶବର୍ତ୍ତୀ ହେବ; କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ରରୂପେ ପାପ ନିକଟରେ ସମର୍ପଣ କରନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର । କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃକ କରିବନାହିଁ, ଯେଣୁ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ । ତେବେ କ'ଣ? ଆମ୍ଭେମାନେ ଯେ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥିନିମନ୍ତେ କି ପାପ କରିବା? ତାହା କେବେହେଁ ନ ହେଉ ।"
ତେବେ, ପ୍ରକୃତରେ ପରିବର୍ତ୍ତିତ ହୋଇଥିବା ବ୍ୟକ୍ତି ନିମନ୍ତେ ପାପପୂର୍ଣ୍ଣ ଜୀବନଯାପନ କରିଚାଲିବା ଏକ ବିକଳ୍ପ ନୁହେଁ । କାରଣ ଆମ୍ଭମାନଙ୍କର ପରିବର୍ତ୍ତନ ଏକ ସମ୍ପୂର୍ଣ୍ଣ ନୂତନ ଜୀବନ ଆଣିଦେଇଥାଏ, ଆମ୍ଭମାନଙ୍କର ଇଛା ଆଉ ପାପରେ ରହିବାକୁ ହେବନାହିଁ । ହଁ, ତଥାପି ଆମେ ପାପ କରୁ, କିନ୍ତୁ ଆମେ ପୂର୍ବରୁ ଯେପରି ଏହାକୁ ଅନୁମତି ଦେଉଥିଲୁ, ପାପ କରିବାକୁ ସେପରି ଅନୁମତି ନ ଦେଇ, ବର୍ତ୍ତମାନ ଆମେ ଏହାକୁ ଘୃଣା କରୁ ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହୁଁ । ଅବିରତ ପାପପୂର୍ଣ୍ଣ ଭାବେ ଜୀବନଯାପନ କରିବା ଦ୍ବାରା ଆମ ବଦଳରେ ଖ୍ରୀଷ୍ଟଙ୍କ ବଳିଦାନର "ସୁଯୋଗ ନେବା"ର ଧାରଣାଟି ଭାବନାର ବାହାରେ । ଯଦି ଜଣେ ବ୍ୟକ୍ତି ନିଜକୁ ଜଣେ ଖ୍ରୀଷ୍ଟିୟାନ ବୋଲି ବିଶ୍ବାସ କରେ, ଏବଂ ତଥାପି ସେହି ପୁରାତନ ଓ ପାପପୂର୍ଣ୍ଣ ଜୀବନଯାପନ କରିବାକୁ ଇଛା କରେ, ତେବେ ସେ ପରିତ୍ରାଣ ପାଇଛି କି ନା, ସେ ବିଷୟରେ ସନ୍ଦେହ କରିବାର କାରଣ ରହିଛି । "ତୁମ୍ଭେମାନେ ବିଶ୍ବାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ" (୨କରିନ୍ଥୀୟ ୧୩:୫) ।
English
ଯଦି ମୁଁ ଉଦ୍ଧାରପ୍ରାପ୍ତ ହୋଇଛି ଏବଂ ମୋର ସମସ୍ତ ପାପ କ୍ଷମା ହୋଇଛି, କାହିଁକି ପାପରେ ଲାଗି ରହିବା ନାହିଁ?