ଯୀଶୁଙ୍କର ପ୍ରକୃତରେ ଅସ୍ତିତ୍ବ ରହିଛିକି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛିକି?


ପ୍ରଶ୍ନ: ଯୀଶୁଙ୍କର ପ୍ରକୃତରେ ଅସ୍ତିତ୍ବ ରହିଛିକି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛିକି?

ଉତ୍ତର:
ସାଧାରଣତଃ, ଯେତେବେଳେ ଏହି ପ୍ରଶ୍ନ ପଚରାଯାଏ, ସେତେବେଳେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି “ବାଇବଲ ବାହାରୁ” ତାହାର ପ୍ରଶ୍ନକୁ ଯୋଗ୍ୟ କରିଥାଏ । ଯୀଶୁଙ୍କ ଅସ୍ତିତ୍ବର ଏକ ପ୍ରମାଣର ଆଧାର ଭାବରେ ବାଇବଲକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୌଣସି ଧାରଣାକୁ ଆମେ ଗ୍ରହଣ କରୁନାହୁଁ । ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ନୂତନ ନିୟମରେ ଶହ ଶହ ଲେଖା ରହିଛି । ଯୀଶୁଙ୍କ ମୃତ୍ୟୁର 100 ବର୍ଷରୁ ଅଧିକ ସମୟ ପରେ ସୁସମାଚାର ପୁସ୍ତକଗୁଡିକର ଲେଖାକୁ ଦ୍ବିତୀୟ ଶତାବ୍ଦୀର ବୋଲି କହୁଥିବାର ଲୋକ ଅଛନ୍ତି । ଏପରିକି ଯଦି ଏହା ସେପରି ହୋଇଥାଏ (ଯାହାକୁ ଆମେ ଅତି ଦୃଢ ଭାବରେ ଯୁକ୍ତି ସହ ବିରୋଧ କରୁ), ପ୍ରାଚୀନ ପ୍ରମାଣ ଭାବରେ, କୌଣସି ଘଟନା ଘଟିବାର 200 ବର୍ଷ ମଧ୍ୟରେ ଲେଖାଯିବାର ଲେଖାକୁ ଅତି ବିଶ୍ବାସଯୋଗ୍ୟ ଲେଖା ବୋଲି ଧରିନିଆଯାଏ । ଆହୁରି ମଧ୍ୟ, ଅଧିକାଂଶ ପଣ୍ଡିତ (ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନ) ଗ୍ରହଣ କରିବେ ଯେ ପାଉଲଙ୍କ ଲେଖାଗୁଡିକ (ଅନ୍ତତଃ ସେଗୁଡିକ ମଧ୍ୟରୁ କିଛି) ପ୍ରକୃତରେ ପାଉଲଙ୍କ ଦ୍ବାରା ପ୍ରଥମ ଶତାବ୍ଦୀର ମଧ୍ୟ ଭାଗରେ ଲେଖାଯାଇଥିଲା ଯାହା ଯୀଶୁଙ୍କ ମୃତ୍ୟୁର 40 ବର୍ଷରୁ ମଧ୍ୟ କମ୍‍ ସମୟ ମଧ୍ୟରେ । ପ୍ରାଚୀନ ପାଣ୍ଡୁଲିପି ପ୍ରମାଣ ଅନୁଯାୟୀ ପ୍ରଥମ ଶତବ୍ଦୀର ପ୍ରଥମ ଭାଗରେ ଇଶ୍ରାୟେଲରେ ଯୀଶୁ ନାମକ ଜଣେ ବ୍ୟକ୍ତି ରହିଥିବା ବିଷୟରେ ଏହା ବିଶେଷ ଭାବରେ ଏକ ବଳିଷ୍ଠ ପ୍ରମାଣ ଅଟେ ।

ନିମ୍ନ ବିଷୟକୁ ଜାଣିବା ଗୁରୁତ୍ବପୂର୍ଣ୍ଣ ବିଷୟ ଯେ 70 ଖ୍ରୀଷ୍ଟାବ୍ଦରେ, ରୋମୀୟମାନେ ଯିରୁଶାଲମକୁ ଆକ୍ରମଣ କରି ଏଠାରେ ଥିବା ଲୋକମାନଙ୍କୁ ହତ୍ୟା କରି ଅଧିକାଂଶ ଇଶ୍ରାୟେଲ ଲୋକଙ୍କୁ ଧ୍ବଂସ କଲେ । ପୁରା ନଗର ଆକ୍ଷରିକ ଭାବେ ନିଆଁରେ ପୋଡି ଛାରଖାର ହୋଇଗଲା । ତେବେ, ଆମେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ ଯେ ଏଥିରେ ଯୀଶୁଙ୍କ ଅସ୍ତିତ୍ବ ବିଷୟରେ ଥିବା ଅଧିକ ପ୍ରମାଣ ମଧ୍ୟ ନଷ୍ଟ ହୋଇଗଲା । ଯୀଶୁଙ୍କୁ ନିଜ ଆଖିରେ ଦେଖିଥିବା ଅନେକ ସାକ୍ଷୀଙ୍କୁ ହତ୍ୟା କରାଯାଇଥାଇପାରେ। ଏହି ସମସ୍ତ ଘଟନା ସମ୍ଭବତଃ ଯୀଶୁଙ୍କୁ ନିଜ ଆଖିରେ ଦେଖିଥିବା ଲୋକମାନଙ୍କର ସାକ୍ଷୀର ପରିମାଣକୁ କମାଇ ଦେଲା ।

ରୋମୀୟ ସାମ୍ରାଜ୍ୟର ଏକ ଛୋଟ ଅଞ୍ଚଳରେ ଅପେକ୍ଷାକୃତ ଗୁରୁତ୍ବ ନ ଥିବା ସ୍ଥାନରେ ଯୀଶୁଙ୍କ ସେବାକାର୍ଯ୍ୟ ସୀମିତ ଥିବା ବିଷୟକୁ ବିଚାରକୁ ନେଲେ, ଯୀଶୁଙ୍କ ବିଷୟରେ ଥିବା ତଥ୍ୟର ଏକ ଆଶ୍ଚର୍ଯ୍ୟଜନକ ପରିମାଣ ଜାଗତିକ ଐତିହାସିକ ଆଧାର ବା ଉତ୍ସରୁ ବାହାର କରାଯାଇପାରିବ । ନିମ୍ନରେ ଯୀଶୁଙ୍କର କିଛି ଅଧିକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ତଥ୍ୟ ଦିଆଗଲା:

ପ୍ରାଚୀନ ଜଗତର କିଛି ସଠିକ୍‍ ଐତିହାସିକଙ୍କ ମଧ୍ୟରୁ ଜଣେ ବୋଲି ବିଚାର କରାଯାଉଥିବା ପ୍ରଥମ ଶତାବ୍ଦୀର ରୋମାନ୍‍ ତାସିତସ୍‍ (Roman Tacitus) ଅନ୍ଧ ବିଶ୍ବାସୀ “Christians” (Christus ଶବ୍ଦରୁ, ଯାହାର ଲାଟିନ୍‍ ଅର୍ଥ Christରୁ ଆସିଛି) ଉଲ୍ଲେଖ କଲେ, ଯିଏ ତିବିରିଆଙ୍କ ସମୟରେ ପନ୍ତିୟ ପିଲାତଙ୍କ ଦ୍ବାରା କ୍ଲେଶ ପାଇଥିଲେ । ସମ୍ରାଟ ହାଡ୍ରିଆନ୍‍ (Hadrian)ଙ୍କ ମୁଖ୍ୟ ସେକ୍ରେଟାରୀ ସିତୋନିୟସ୍‍ (Suetonius) ଲେଖିଥିଲେ ଯେ Chrestus (ବା Christ) ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ପ୍ରଥମ ଶତାବ୍ଦୀରେ ବାସ କରୁଥିଲେ (Annals 15.44) ।

ଫ୍ଲେଭିୟସ୍‍ ଯୋଷେଫସ୍‍ (Flavius Josephus) ଜଣେ ଅତି ପ୍ରସିଦ୍ଧ ଯିହୂଦୀ ଐତିହାସିକ ଥିଲେ । ତାହାଙ୍କ ଲେଖା Antiquitiesରେ ସେ ଯାକୁବଙ୍କ ବିଷୟରେ ଏପରି ଲେଖନ୍ତି “ଖ୍ରୀଷ୍ଟ ନାମରେ ନାମିତ ଯୀଶୁଙ୍କ ଭାଇ” । ସେଥିରେ ଏକ ବିବାଦପୂର୍ଣ୍ଣ ପଦ ରହିଛି (18:3) ଯାହା କୁହେ “ଏହି ସମୟରେ ଯୀଶୁ ନାମକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ, ଯଦି ତାହାଙ୍କୁ ଜଣେ ମନୁଷ୍ୟ ବୋଲି କୁହାଯିବାର ନ୍ୟାୟସଙ୍ଗତ । କାରଣ ସେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାଧନ କରୁଥିଲେ...ସେ ଖ୍ରୀଷ୍ଟ (Christ) ଥିଲେ....ଯେପରି ସ୍ବର୍ଗୀୟ ଭାବବାଦୀମାନେ ତାଙ୍କ ବିଷୟରେ ପୂର୍ବରୁ କହିଥିଲେ ଓ ଏହିପରି ଅନ୍ୟ ଦଶ ହଜାର ଆଶ୍ଚର୍ଯ୍ୟକର ବିଷୟ କହିଥିଲେ ସେହି ଅନୁଯାୟୀ ସେ ତୃତୀୟ ଦିବସରେ ସେମାନଙ୍କୁ ପୁନର୍ବାର ଦେଖାଦେଲେ ।” ଏକ ସଂସ୍କରଣରେ ଏପରି ଲେଖାଯାଏ “ଏହି ସମୟରେ, ଯୀଶୁ ନାମକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ । ତାହାଙ୍କ ଆଚରଣ ଉତ୍ତମ ଥିଲା ଏବଂ ସେ ଧାର୍ମିକ ଥିବାର ଜଣାଯାଇଥିଲେ । ଏବଂ ଯିହୂଦୀମାନଙ୍କ ମଧ୍ୟରୁ ଓ ଅନ୍ୟ ଦେଶଗୁଡିକରୁ ଅନେକ ଲୋକ ତାହାଙ୍କର ଶିଷ୍ୟ ହେଲେ । ପିଲାତ ତାହାଙ୍କୁ କ୍ରୁଶବିଦ୍ଧ କରି ମୃତ୍ୟୁଭୋଗ କରିବା ନିମନ୍ତେ ଦୋଷୀ କଲେ । କିନ୍ତୁ ଯେଉଁମାନେ ତାହାଙ୍କ ଶିଷ୍ୟ ହୋଇଥିଲେ, ସେମାନେ ତାହାଙ୍କ ଶିଷ୍ୟତ୍ବ ପରିତ୍ୟାଗ କଲେନାହିଁ । ସେମାନେ ଜଣାଇଲେ ଯେ ସେ ତାଙ୍କ କ୍ରୁଶବିଦ୍ଧର ତିନିଦିନ ପରେ ସେମାନଙ୍କୁ ଦେଖାଦେଲେ, ଏବଂ ସେଥିଯୋଗୁଁ ସେ ଜୀବିତ ଥିଲେ; ସେହି ଅନୁଯାୟୀ ବୋଧହୁଏ ସେ ମଶୀହ ଅଟନ୍ତି, ଯାହାଙ୍କ ବିଷୟରେ ଭାବବାଦୀମାନେ ଆଶ୍ଚର୍ଯ୍ୟକର ବିଷୟଗୁଡିକ କୁହନ୍ତି ।”

ଯୀଶୁଙ୍କ କ୍ରୁଶବିଦ୍ଧ ପରେ ହୋଇଥିବା ଅନ୍ଧାର ବିଷୟରେ ହୋଇଥିବା ଏକ ଆଲୋଚନାରେ ଯୁଲିୟସ୍‍ ଆଫ୍ରିକାନସ୍‍ (Julius Africanus) ଐତିହାସିକ ଥାଲସ୍‍‍ (Thallus)ଙ୍କ ଲେଖାରୁ ଲେଖନ୍ତି (Extant Writings, 18) ।

ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଈଶ୍ବର ଭାବରେ ଉପାସନା କରିଥିବା ଘଟନା ସହ ଆଦ୍ୟ ଖ୍ରୀଷ୍ଟିୟାନ ଉପାସନା ପଦ୍ଧତିକୁ ପ୍ଲିନି ଦ ୟଙ୍ଗର୍‍ (Pliny the Younger) ଲେଖନ୍ତି, ଏବଂ ସେ ପ୍ରେମଭୋଜ ଓ ପ୍ରଭୁଭୋଜର ଲେଖାକୁ ମଧ୍ୟ ସେଥିରେ ଲେଖନ୍ତି ।

Babylonian Talmud (Sanhedrin 43a) ନିସ୍ତାରପର୍ବର ପୂର୍ବ ରାତ୍ରି ଯୀଶୁଙ୍କ କ୍ରୁଶବିଦ୍ଧ ଓ ଯୀଶୁ ଗୁଣିବିଦ୍ୟା କରୁଥିବା ବିରୁଦ୍ଧରେ ଅଭିଯୋଗ ପୁଣି ଯିହୂଦୀ ଧର୍ମଛଡାକୁ ଉତ୍ସାହିତ କରୁଥିବା ବିଷୟରେ ନିଶ୍ଚିତ କରେ ।

ସମୋସଟା (Samosata)ର ଲୂସିଆନ୍‍ (Lucian) ଦ୍ବିତୀୟ ଶତାବ୍ଦୀର ଜଣେ ଗ୍ରୀକ୍‍ ଲେଖକ ଥିଲେ ଯିଏ ସ୍ବୀକାର କରିଥିଲେ ଯେ ଯୀଶୁ ଖ୍ରୀଷ୍ଟିୟାନମାନଙ୍କ ଦ୍ବାରା ପୂଜା ପାଉଥିଲେ, ନୂତନ ନୂତନ ଶିକ୍ଷା ବାହାର କରିଥିଲେ ଏବଂ ସେମାନଙ୍କ ନିମନ୍ତେ କ୍ରୁଶବିଦ୍ଧ ହୋଇଥିଲେ । ସେ କହିଲେ ଯେ ଯୀଶୁଙ୍କ ଶିକ୍ଷାରେ ବିଶ୍ବାସୀମାନଙ୍କର ଭାଇଚାରା ଭାବ, ପରିବର୍ତ୍ତନ କରିବାର ଗୁରୁତ୍ବ ଏବଂ ଅନ୍ୟ ଦେବତାମାନଙ୍କୁ ଅସ୍ବୀକାର କରିବାର ଗୁରୁତ୍ବ ରହିଥିଲା । ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ନିୟମଗୁଡିକ ଅନୁଯାୟୀ ଜୀବନଯାପନ କରୁଥିଲେ, ସେମାନେ ନିଜନିଜକୁ ଅମର ବୋଲି ଭାବୁଥିଲେ, ଏବଂ ମୃତ୍ୟୁର ଘୃଣିତ ଭାବେ ବିବେଚନା କରାଯାଉଥିଲେ, ସ୍ବଇଛାରେ ନିଜେ ଉପାସନା କରୁଥିଲେ, ଏବଂ ପାର୍ଥିବ ଦ୍ରବ୍ୟଗୁଡିକୁ ପରିତ୍ୟାଗ କରୁଥିଲେ ।

ମାରା ବାର୍‍-ସେରାପିଅନ୍‍ (Mara Bar-Serapion) ସୁନିଶ୍ଚିତ କରି ଲେଖିଥିଲେ ଯେ ଯୀଶୁ ଜଣେ ବୁଦ୍ଧିମାନ୍‍ ଓ ଧାର୍ମିକ ବ୍ୟକ୍ତି ଭାବରେ ଜଣାଯାଉଥିଲେ, ତାହାଙ୍କୁ ଅନେକେ ଯିହୂଦୀମାନଙ୍କର ରାଜା ହେବେ ବୋଲି ଭାବୁଥିଲେ, ସେ ଯିହୂଦୀମାନଙ୍କ ଦ୍ବାରା ମରଣ ମୁଖକୁ ନିଆଯାଇଥିଲେ, ଏବଂ ତାହାଙ୍କ ଅନୁଗାମୀମାନେ ସେମାନଙ୍କ ଶିକ୍ଷାରେ ଯୀଶୁଙ୍କୁ ଜୀବିତ ବୋଲି ଦେଖାଉଥିଲେ ।

ତା’ ପରେ ଆମେ ଆଧ୍ୟାତ୍ମିକ ଜ୍ଞାନ ଥିବା ଲେଖା (Gnostic) ପାଉ (The Gospel of Truth, The Apocryphon of John, The Gospel of Thomas, The Treatise on Resurrection, ଇତ୍ୟାଦି) ଯେଉଁ ସମସ୍ତ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରନ୍ତି ।

ପ୍ରକୃତରେ, କେବଳ ଅଣ-ଖ୍ରୀଷ୍ଟିୟାନ ଲେଖାଗୁଡିକର ଆଧାରରେ ଆମେ ସୁସମାଚାରକୁ ପୁନଃଗଠନ କରିପାରିବା ନାହିଁ: ଯୀଶୁଙ୍କୁ ଖ୍ରୀଷ୍ଟ (Christ) ବୋଲି କୁହାଯାଉଥିଲା ((Josephus), ସେ “ଯାଦୁବିଦ୍ୟା” କରୁଥିଲେ, ଇଶ୍ରାୟେଲୀୟମାନଙ୍କୁ ନୂତନ ନୂତନ ଶିକ୍ଷା ଦେଉଥିଲେ, ଏବଂ ଯିହୂଦା ପ୍ରଦେଶରେ (Tacitus) ସେମାନଙ୍କ ପାଇଁ ନିସ୍ତାରପର୍ବରେ କ୍ରୁଶରେ ଝୁଲିଲେ (Babylonian Talmud), କିନ୍ତୁ ସେ ଈଶ୍ବର ହୋଇଥିବାର ଦାବୀ କଲେ ଓ ସେ ପୁନର୍ବାର ଫେରି ଆସିବେ (Eliezar), ଯାହା ତାହାଙ୍କ ଅନୁଗାମୀମାନେ ବିଶ୍ବାସ କରି ତାହାଙ୍କୁ ଈଶ୍ବର ଭାବରେ ପୂଜା କରୁଥିଲେ (Pliny the Younger) ।

ଉଭୟ ଜାଗତିକ ଓ ବାଇବଲ ଇତିହାସରେ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତିତ୍ବ ବିଷୟରେ ଅକାଟ୍ୟ ପ୍ରମାଣ ରହିଛି । ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ବାରଜଣ ଶିଷ୍ୟଙ୍କ ସମେତ ଆକ୍ଷରିକ ଭାବେ ପ୍ରଥମ ଶତାବ୍ଦୀର ହଜାର ହଜାର ଖ୍ରୀଷ୍ଟିୟାନ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ନିଜ ନିଜ ଜୀବନକୁ ବଳି ଦେବାକୁ ମଧ୍ୟ ଇଛା ପ୍ରକାଶ କରୁଥିଲେ । ଯେଉଁ ବିଷୟ ସତ ବୋଲି ଲୋକମାନେ ବିଶ୍ବାସ କରନ୍ତି ସେଥିଯୋଗୁଁ ଲୋକମାନେ ମରିବାକୁ ଇଛା କରିବେ, କିନ୍ତୁ କେହି ବି ସେହି ବିଷୟ ଯୋଗୁଁ ମରିବାକୁ ଇଛା କରିବେ ନାହିଁ ଯାହା ସେମାନେ ମିଛ ବୋଲି ଜାଣନ୍ତି ।



ଓଡିଆ ପେଜ୍ କୁ ପ୍ରତ୍ୟାବର୍ତ୍ତନ କରନ୍ତୁ



ଯୀଶୁଙ୍କର ପ୍ରକୃତରେ ଅସ୍ତିତ୍ବ ରହିଛିକି? ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଐତିହାସିକ ପ୍ରମାଣ ରହିଛିକି?